Unknown

 

 

 

 

 

 

 

 

 

 

 

ତୋ ପାଇଁ ମୁଁ ରୂପବନ୍ତ

ଗିରିବାଳା ମହାନ୍ତି

 

ସୂଚୀପତ୍ର

 

ମହିଷାସୁର

ସେ ଘୂରେ ଏବେ ତାହାର ଉତ୍ତର ମଧ୍ୟାହ୍ନେ

ମେଘ

ପରିତ୍ୟକ୍ତ ଏ ସକାଳ

ଅପବର୍ଗ

ତୁମସ୍ଥିତି ଯଥାକ୍ରମେ ଆନନ୍ଦ ଓ ଦୁଃଖଦିଏ ମୋତେ

ସ୍ମୃତି ଓ ସ୍ୱପ୍ନ ସମ୍ପର୍କରେ

ସ୍ୱପ୍ନହୀନ ଦିନେ ଥିଲା ସ୍ମୃତି ଦେହଧାରୀ

ପ୍ରେମ

ନଧର ଅଧରେ ଭରି ଆହ୍ୱାନର ଚକିତ ଚମକ

ଚାରୋଟି କବିତା

ସମୁଦ୍ର କଥା ପଚାରୁଛ ?

ମାମୁଲି କଥା

ଖୁସିରେ ଗଲାବେଳେ ଯଦି ତୁମେ କୁହ

ପ୍ରାର୍ଥନା

ଅଭିବାଦ୍ୟ !

ଋତୁବନ୍ଦନା

ନୟନାଭିରାମ ଦୂର୍ବାଦଳ ଶ୍ୟାମ ବାରିବାହ

ସାମ୍ରାଜ୍ଞୀର ବ୍ୟର୍ଥତା

ସେ ତ ଚାହେ ତାର ବିସର୍ଜନ

ନାମ୍ପୋ

ଛୁଟିର ପ୍ରାଚୁର୍ଯ୍ୟ ଧୀରେ ହୋଇଆସେ ଶେଷ

ଅଧରା

ପେଣ୍ଡୁର ଅର୍ଦ୍ଧାଂଶ ପରି ଗୋଲ ସନ୍ଧ୍ୟା

ଛୁଟି

ସୁଦୀର୍ଘ ପ୍ରତୀକ୍ଷା ପରେ ନାତିଦୀର୍ଘ କର୍ମର ବିରତି

ମେଘାବଲୋକନ

ମେଘର ଡମ୍ବରୁ ବାଜେ

କବିତା ପାଇଁ କବିତାଟିଏ

ଦୀର୍ଘଦିନ ନୀରବତା ସ୍ଥାଣୁତ୍ୱ ବା ସ୍ଥବିରତା ଏହା

ଯାଚନା

ସେ କହିଲା : ମୁଁ ତ ନୁହେଁ ରାମଚନ୍ଦ୍ର

ରୂପକ

କଣୟର କର୍ଣ୍ଣପୁର କେୟୂର କଂକଣ

ସ୍ୱବିରୋଧର କବିତା

ଏକ ଲୁପ୍ତ ଚେତନାର ରାତ୍ରିପରି

ବିରହ

ରାତି ଯେବେ ଶୋଇଯିବ ଚୁପ୍‍ଚାପ୍‍ ନିଶବଦ ହୋଇ

ପରକୀୟାର ଶେଷ ମହାକାବ୍ୟ

ତୁମେ ତୁମର ପତ୍ନୀକୁ ପାରିବ କି କହି

ଦିନସବୁ କେବେ ପୁଣି ଆଗପରି ହେବ

ଆଗେ ଦିନସବୁ କି ସୁନ୍ଦର ନ ଥିଲା

ଚମ୍ପା

ସ୍ୱପ୍ନ ଦେଖିବାର ସାମର୍ଥ୍ୟ ନାହିଁ ବୋଲି

ସ୍ମୃତି

ଦୂର ଦେଶେ ମନେପଡ଼େ

ଦୂରାଭାସ

ଦିଗନ୍ତ ସଜାଇଦିଏ କନକ କିରଣ

ନେତ୍ରମଣି

ନାମରେ ମୁଁ ନେତ୍ରମଣି

ସ୍ମରଣ ବିସ୍ମରଣ

ଶୀତର ସଂକ୍ଷିପ୍ତ ବ୍ୟାପ୍ତିସାଥେ ନେଇ ଆତ୍ମ ପ୍ରବଞ୍ଚନା

ଜଣେ ସାମଜସେବୀଙ୍କ ମୃତ୍ୟୁରେ

ସେ ଅଚାନକ ଚାଲିଗଲେ

ଗୋପନ ସତ୍ୟ

ପ୍ରତିଜ୍ଞା ରକ୍ଷା କରି

ତୋ ପ୍ରାପ୍ତିରେ ତୁଚ୍ଛହୁଏ ଇନ୍ଦ୍ରପଦ

ଯେତେ ଦେଖେ ମୁଗ୍‍ଧହୁଏ ତୁହି ଅବା ଝଙ୍କଡ଼ବାସିନୀ

ଉପରାମ

ଯୁଗାନ୍ତରୁ ଜଳି ଜଳି

ଅନନ୍ୱୟ

ଏଇ ବନ ପାହାଡ଼ ଝରଣା

ଉର୍ଣ୍ଣାୟୁଉଦନ୍ତ

ମୁଁ ଏକ ମୁକ୍ତିର ଗୀତ ଶୃଙ୍ଗୁ ଶୃଙ୍ଗେ

ବିଜନତାର ଗୀତ

ବଉଦର ଉଇହୁଙ୍କା ଡେଇଁ ଡେଇଁ

☆☆☆

 

ମହିଷାସୁର

 

ସେ ଘୂରେ ଏବେ ତାହାର ଉତ୍ତର ମଧ୍ୟାହ୍ନେ

ଖୋଜି ମୋତେ

ମୁଁଇ ଯିଏ ତାରି ରୂପାନ୍ତର ।

ତାରି ମୁକ୍ତି । ତାହାରି ବିକଳ୍ପ ।

ତାର ପ୍ରିୟତମ ପାପ । ପୁଣି ତାର

କାବ୍ୟର ରୂପକ ।।

 

ସେ ଲୋଡ଼ଇ ବାରମ୍ବାର ମୋତେ ।

ଧନ୍ଦିମରେ ଦିଗନ୍ତୁ ଦିଗନ୍ତେ । ଡାକଦିଏ

ଗଗନ ପବନ ପୁଣି ପୃଥ୍ୱୀ ଚମକାଇ

ପ୍ରଣବ ଓ ଓଁକାର ଶବଦେ

ଋଗ୍‍ ଛନ୍ଦେ, ସାମଗାନ ସୁରେ

ମାତା ଡାକେ କୋଳ ଲୋଡ଼ି

ପ୍ରିୟା ଡାକେ ଲୋଡ଼ି ଭୁଜବନ୍ଧେ ।

 

ସେ ଡାକେ

ଲୋଡ଼ି ମୋହର ବରଦା ପ୍ରସନ୍ନା

ଶାନ୍ତା ତିତିକ୍ଷାର ରୂପ

ଲୋଡ଼େ ପୁଣି ଏକତ୍ର ମୋ

ମହାନଗ୍ନତାକୁ

ସଂହାରିଣୀ କରାଳୀସ୍ୱରୂପ ।

 

ମୁଁ ତ ବ୍ୟସ୍ତ ।

ଅବୁଝ ସନ୍ତାନ ମୋର

ଅବୁଝ ସାଧକ ।

ଏବେବି ତ ଆସିନାହିଁ ବେଳ

ଉପଯୁକ୍ତ ସମୟରେ ସାଜି ମୁହିଁ

ତୋରି ମହାକାଳ

ନେବି ତୋତେ ମୋହଠାକୁ ଟାଣି

ତିତିକ୍ଷା ଓ ନଗ୍ନତାର ଏକାକାରେ

ଉଠିବ ଉଜାଣି

ତୋରି ମୃତ୍ୟର ।

ତୋ ପାଇଁ ମୁଁ ରୂପବନ୍ତ

ଶୁଧୁ ମାତ୍ର ଅପେକ୍ଷା ଲଗ୍ନର ।।

☆☆☆

 

ମେଘ

 

ପରିତ୍ୱକ୍ତ ଏ ସକାଳ ।

ଏକର ଏକର ଭୂମି ଅନାବାଦୀ

ଅନାବୃଷ୍ଟି ଅନାବୃଷ୍ଟି ।

ଅନାବୃଷ୍ଟି ଅନାବୃଷ୍ଟି ।

ପୃଥିବୀର ଜୀବନ ବିକଳ ।।

 

ମେଘ ଆସେ ।

ଆକାଶର ଗୋଲ ପଡ଼ିଆରେ

ବର୍ଷାର ସନ୍ଦେଶ ନେଇ

ବିଫଳ ଓ ବନ୍ଧ୍ୟା ମେଘ । ଫେରେ ।

ପୁଣି ଆସେ । ପୁଣି ଫେରେ

ପୁଣି .... ପୁଣି.... ଆସେ.... ଫେରେ

ଦୀର୍ଘଶ୍ୱାସ ପରି

ଘୂରି ଘୂରି

ଅସଂଖ୍ୟ ଉତ୍ତାପ ନେଇ

ମୌସୁମୀର ବିନାନୁମତିରେ

ସାରାଟା ସକାଳ ଗଲା ମେଘ ପାଇଁ

ଋଷ୍ୟଶୃଙ୍ଗ ଅନ୍ୱେଷଣେ ।

 

ଆଶ୍ରମ ଉଜାଡ଼

ପଳାୟିତ ଋଷିକନ୍ୟାଗଣ ।

ମୁନି କେଣେ ଗୃହଧର୍ମପାଳି

ଭୁଲିଲେଣି ସତ୍ତ୍ୱ ଧର୍ମମାନ ।

 

କ୍ଳାନ୍ତିରେ ଫେରିବା ବେଳ

ଉତ୍ତୀର୍ଣ୍ଣ ସକାଳ । ବାଳସୂର୍ଯ୍ୟ ନାହିଁ ।

ଯୌବନର ସୂର୍ଯ୍ୟ ବସି ବିଞ୍ଚଇ ପ୍ରବାଳ ।

ନିରାଶାର ଶେଷବିନ୍ଦୁ ଏଠୁ

ଆଉ ବେଶୀ ଦୂର ନୁହେଁ ।

ସହସା ମେଘର ଆବିର୍ଭାବ

ନିଃଶ୍ୱାସର ମୌସୁମୀରେ ନୀଳ ନଭ

ବିଶ୍ୱାସର ମେଘ ଏଠି ବର୍ଷିବାକୁ ଚାହେଁ ।।

☆☆☆

 

ଅପବର୍ଗ

 

ତୁମ ସ୍ଥିତି ଯଥାକ୍ରମେ ଆନନ୍ଦ ଓ ଦୁଃଖଦିଏ ମୋତେ

ବର୍ଷା ଯେହ୍ନେ ଚାତକେ ମରାଳେ ।।

 

ବିହଙ୍ଗ । ତୁମ ଡେଣାରେ

ବିଶ୍ୱ ପରିକ୍ରମା କରିବାର ଶକ୍ତି ଓ ଆକାଂକ୍ଷା।

ତୁମର ବ୍ରତ ଅନନ୍ତ ମୁକ୍ତି ।

ମୁଁ ସାମାନ୍ୟ ଘରଚଟିଆ ପକ୍ଷୀ

ତୁମେ ମୋତେ ଆମନ୍ତ୍ରଣ କରୁଛ ।

 

ମୋର ଦୂର ଆକାଶର ଅସୀମତାକୁ ଭୟ ।

ଅନନ୍ତ ବିଶ୍ୱ ମୋତେ ଭ୍ରାନ୍ତି ଆଣି ଦିଏ ।

ମୋର ଚରମ ଓ ପରମ କାମନା

କାଠି କୁଟାର ସଂସାରଟିଏ ରଚିବି

ଆକାଶ ଓ ବିଶ୍ୱକୁ ଅତିଥି ରୂପେ ଆମନ୍ତ୍ରିବି

ମୋର ଦେବାଳୟକୁ ।

 

ଅନୁରକ୍ତକ !

ତୁମର ତ କୁଲାୟରେ ଭରସା ନାହିଁ ।

ତୁମେ ମୋତେ ବାରମ୍ୱାର ଆହ୍ୱାନ କର କାହିଁକି ?

ତୁମ ସ୍ଥିତି ଯଥାକ୍ରମେ ଆନନ୍ଦ ଓ ଦୁଃଖ ଦିଏ ମୋତେ

ବର୍ଷା ଯେହ୍ନେ ଚାତକେ ମରାଳେ ।।

 

ଅନୁରୁଦ୍ଧ !

ଯଦି ମୋତେ ଚାହଁ

ତେବେ ଧରାମୁଖ ହୋଇ

ମୋର ମନ୍ତ୍ର ଗ୍ରହଣ କର;

ନଚେତ୍‍ ମୋତେ ବିଶ୍ୱ ପରିକ୍ରମା କରିବାର

ଦୀକ୍ଷା ଦେଇ ସହଯାତ୍ରୀ କରିନିଅ ।।।

☆☆☆

 

ସ୍ମୃତି ଓ ସ୍ୱପ୍ନ ସମ୍ପର୍କରେ

 

ସ୍ୱପ୍ନ ହୀନ ଦିନେ ଥିଲା ସ୍ମୃତି ଦେହଧାରୀ ।

ସ୍ମୃତି ଯଦି ଗତଦିନ ସ୍ୱପ୍ନସବୁ ଆଗାମୀ ଦିନଟି ।

ସ୍ମୃତି ଯଦି ପୃଷ୍ଠଭୂମି ସ୍ୱପ୍ନସବୁ ପଥର ଦରୋଟି ।

ସ୍ମୃତି ସବୁ ଅଜନ୍ତା ବା ଏଲୋରାର କାରୁକାର୍ଯ୍ୟ ପରି

ଶିଳ୍ପମୟ, ପୁରାତନ ହେଲେ ହେଁ ନୂତନ ।

ସ୍ମୃତିସବୁ ମହୀୟାନ୍‍ କ୍ଷମାରେ ଉଜ୍ଜ୍ୱଳ

ଯେପରି ତିତିକ୍ଷା ମୁଦ୍ରା ଗୌତମ ବୁଦ୍ଧର ।

ସ୍ମୃତି କିନ୍ତୁ ସ୍ୱପ୍ନ ନୁହେଁ ଆଗଦିନ ନୁହେଁ ।

ସ୍ମୃତି ଶୁଧୁ ଇତିହାସ କେବେକେବେ ଲିପାପୋଛା ହୁଏ ।

ପୁନରାୟ ଘଟେ ନାହିଁ ।

ସ୍ମୃତି ଗତିହୀନ ।

ଏହା ସତ୍ତ୍ୱେ ସ୍ମୃତି ହିଁ ସମ୍ବଳ ।

ମୋର ଗତଦିନସବୁ ଶିଶୁପରି ନିଷ୍ପାପ ସ୍ମୃତିରେ

କିପରି ଉର୍ବର ଥିଲେ । ଆଜିମଧ୍ୟ ଗତକ୍ଷଣ ଯାଏଁ

ସ୍ମୃତି ହିଁ ସର୍ବସ୍ୱ ଥିଲା ।

ଗତଦିନ ବେଶ୍ ଥିଲା–

ପଥ ନିଶା

ପଥଧାରେ ସବୁଜବା ଥୁଣ୍ଟା କ୍ୱଚିତ୍‍ ଦେଖା ମୁହଁ କିଛି

ସାଧାରଣ ଦୃଶ୍ୟର ମଝିରେ ସ୍ମୃତିର ଦାୟିତ୍ୱ ବୋହି ।

ଅଚାନକ ସମୟର ଚୌଡ଼ା ରାସ୍ତାପରେ

ତମ ସାଥେ ମୁହାଁମୁହିଁ, ଶାନ୍ତ ମୋର ଦୀଘିର ଜଳରେ

ପ୍ରଥମ ବିମ୍ବିତ ବିମ୍ୱ ।

ବହୁ ରାସ୍ତା ବହୁ ମୋଡ଼ପରେ

ଅଚାନକ ସ୍ୱପ୍ନ ପାଇଁ ପ୍ରାର୍ଥନା ମୋ ନିଭୃତ ପ୍ରହରେ ।

ସ୍ୱପ୍ନ କି ପ୍ରେମର ନାମ ?

ଅଥବା ପ୍ରେମକୁ

ସ୍ୱପ୍ନ କହିବାକୁ ପଡ଼େ

ତୁମ ସାଥେ ସ୍ୱପ୍ନ ଫୁଟେ ଆଗାମୀ ଦିନର

ଯେପରି ସଂଯମ ଫାଙ୍କେ ଲୋଭୀ ଦୃଷ୍ଟି

ଧୂର୍ତ୍ତ କାମନାର ।

ପ୍ରେମ କି ସ୍ୱପ୍ନର ନାମ ? ଅବା ପ୍ରେମ ନିଜେ ବହୁ ସ୍ୱପ୍ନ ?

ମୁଁ ଯେବେ ସ୍ୱପ୍ନର ସ୍ୱପ୍ନେ ହେଳା କଲି ଅତୀତେ ମୋହର ।

(ଯେପରି ଯୌବନେ ଆସି ତୁଚ୍ଛ କଲି ସ୍ମୃତି କୈଶୋରର)

ସେତେବେଳେ ତୁମେ ଆସି ସ୍ୱପ୍ନ ସାଥେ ହାତ ମିଳାଇଲ

ଦୀର୍ଘ ହରତାଳ କଲ, ଗତଦିନେ ଖେଳାମେଳା କରି,

ବେଳ ଦେଖି ସ୍ୱପ୍ନେ ଦଳି ଯଥାକାଳେ ସ୍ୱପୁରେ ଚଳିଲ ।

ଅବା ସ୍ମୃତି ତୁମରି ଦୋସର ?

 

ସ୍ୱପ୍ନ ସାଥେ ତୁମେ ଗଲ । ତୁମ ସ୍ଥାନେ

ସ୍ମୃତିର ଆସର ।

☆☆☆

 

ପ୍ରେମ

 

ନଧର ଅଧରେ ଭରି ଆହ୍ୱାନର ଚକିତ ଚମକ

ମୃତ୍ୟୁ କେବେ ଦେଖା ଦିଏ ବାଳୁତ କୁମର

କୋଳେ ଶୋଇ ହାତଠାରି ଅଳି କରେ ଦିଅ ଥନ ଦିଅ

ଥନ ସଙ୍ଗେ ଶୋଷି ନେବି ପୁତନାର ଜୀବନ ତୁମର ।

 

ସେ ଦିନ ହୁନ୍ଦର ଦେଖ ମୂର୍ଖ ସେହି ଦୁରନ୍ତ ମୃତ୍ୟୁର

ଘଟଣ ସୁନ୍ଦର ଏକ ଯୁବା ଦେହ ଶ୍ୟାମ ଦୂର୍ବାଦଳ

ଆଗେ ଉଭା ହେଲା ଆସି, ବାଟ ଛେକି କହିଲା, ଏଥର

ଦେଖିବି ଯିବୁ ତୁ କାହିଁ ଠେଲି ମୋର ଦୃଢ଼ ଭୁଜବଳ !

 

ହସି ମୁଁ କହିଲି ତାକୁ, ଆରେ ମୂର୍ଖ । ଏ କି ଅଘଟଣ

ଅବେଳେ କାହିଁକି ଡାକୁ ? ଅଦଭୁତେ କରୁ ଉଚ୍ଚାଟନ !

ସେ ଦେଲା ଉତ୍ତର ମୃଦୁ, ଏହିପରି ମୋର ଯାତାୟାତ

ବେଳ ଓ ଅବେଳ ମୋର ବଶମ୍ବଦ, ଚିର କରାୟତ୍ତ !

 

ମୁଁ ତ ଭୟ କରେ ନାହିଁ ଆଉ ସେ ମୃତ୍ୟୁରେ ।

ଯେ ଦିନୁ ବିସର୍ଜିଲି ମୁଁ ନିଜକୁ ତା ଠାରେ ।।

☆☆☆

 

ଚାରେଟି କବିତା

 

ସମୁଦ୍ର କଥା ପଚାରୁଛ ?

ସେତ ରୋରୁଦ୍ୟମାନା ଦେବକୀ ।

ହୁହୁ କାନ୍ଦଣାର ବେଗରେ

ବାରମ୍ବାର କୂଳର କାରାବନ୍ଧନ

ଭାଙ୍ଗିବାକୁ ମଥା ପିଟୁଛି ।

କେଉଁ ପାପିଷ୍ଠ କଂସର ଭୟରେ

ସିଏ ଆପଣାର ଆତ୍ମାକୁ

ଅନ୍ୟ ହାତକୁ ଟେକି ଦେଇଛି

ବାଳସୂର୍ଯ୍ୟ ରୂପରେ ।

 

ଆକାଶ କଥା ପଚାରୁଛ ?

ସେ ଆନନ୍ଦମୟୀ ଯଶୋଦା

ପାଳିତପୁତ୍ରକୁ କୋଳରେ ଧରି

ସବୁବେଳେ ସୌମ୍ୟା ଓ ବରଦା

ସିଏ ବି ତ ମା’ !

ସମୁଦ୍ର ପରି

ପୁଅର ମଙ୍ଗଳାମଙ୍ଗଳ ଆଶଙ୍କାରେ

ଈଷତ୍‍ ନୀଳାଭ ।

ବିଳମ୍ବିତ କୃଷ୍ଣ ପାଇଁ

ଯେତେବେଳେ ଦୁର୍ଭାବନାରେ

ଛାତି ଥରି ଉଠେ

ଝଡ଼ ଉଠେ ।

ଯେତେବେଳେ ଲୁହ ଝରେ

ସେତେବେଳେ ବର୍ଷା ନଇଁ ଆସେ ।

 

ସୂର୍ଯ୍ୟ କଥା ପଚାରୁଛ ?

ସେ ଦେବକୀର ଏକ ଆଖି

ଏକ ଆଖି ଯଶୋଦାର ।

ସମୁଦ୍ର ଦେବକୀ ହାତରୁ ଡେଇଁ ପଡ଼ି

ଖେଳିବୁଲେ ଆକାଶ ଯଶୋଦା କୋଳରେ

ଯେଉଁଆଡ଼େ ଦୃଷ୍ଟି ଢାଳି ଦିଏ

ମୁଠା ମୁଠା ସୁନା ବିଞ୍ଚି ହୋଇଯାଏ ।

 

ଯେତେବେଳେ ମଥୁରା ଯିବା ବେଳ ହୁଏ,

ସେତେବେଳେ ଆକାଶ କୋଳକୁ

ଶୂନ୍ୟ କରି ବାହୁଡ଼ିଯାଏ ।

–ଆମେ କହୁଁ ସୂର୍ଯ୍ୟ ଅସ୍ତ ଗଲା ।

 

ତୁମ କଥା କଣ କହବି !

ପଥ ହୁଡ଼ି ଗୋପକୁ ଆସିଥିଲ ।

ମଥୁରା ଡାକରେ ଗୋପ ଉଜାଡ଼ି କରି ଫେରିଯାଉଛ ।

(ସୂର୍ଯ୍ୟର କିବା କିବା ଯାଏ ଆସେ

ସେ ତ ଏକ ଦିଗକୁ ଅନ୍ଧକାରରେ ଡୁବାଇ

ଅପର ଦିଗକୁ ଆଲୋକିତ କରେ !)

ତୁମେ କିଏ ?

ଗୋକୁଳର ଗୋପାଳ ? ନାଁ

କୁଳବୁଡ଼ା ନଦୀୟାର ନିମାଇଁ ??

☆☆☆

 

ମାମୁଲି କଥା

 

ଖୁସିରେ ଗଲାବେଳେ ଯଦି ତୁମେ କୁହ,

ରାଧା ଲଳିତା, ବିଶାଖା, ଗୋପୀଗଣ !

ମଥୁରାନାରୀଙ୍କୁ ତୋଷି ଯାଉଥିବାରୁ

ମୋତେ କ୍ଷମା କର !

ସଭିଏଁ ତୁମକୁ ବାହାବା ଦେବେ

ସ୍ୱୀକାରୋକ୍ତିରେ ମୁଗଧ୍‍ ହୋଇ ଘୋଷଣା କରିବେ

ମହାଭାଗ !

ତୁମର ଅକପଟ ଘୋଷଣା ପାଇଁ ତୁମେ ମହାନ୍‍

ମଥୁରାର ସିଂହାସନ ତୁମ ପାଇଁ ଅପେକ୍ଷମାଣ–

ତାପରେ ତୁମକୁ ଈଶ୍ୱର ଅଚ୍ୟୁତ ପଦରେ

ଅଭିଷିକ୍ତ କରିବେ ।

 

ଅନନ୍ୟୋପାୟ ହୋଇ ଗଲାବେଳେ,

ମୁଁ ଯଦି ଅନୁତପ୍ତ ହୋଇ କହେଁ,

ମୁଁ ନିରୁପାୟ, ମୋତେ କ୍ଷମାକର !

ବାଧ୍ୟ ହୋଇ ତୁମକୁ ଛାଡ଼ି ଯାଉଛି !

ମୋତେ ମିଳବ ପତିତାର ମାନପତ୍ର

ସମାଲୋଚକର ମୁଖରୋଚକ ଟିପ୍‍ପଣୀ ।।

କାରଣ ମୁଁ ସହଜରେ ଅସତୀ ହୋଇ ପାରେଁ

ମାତ୍ର ତୁମେ ଅସତ୍ୟ ହେବା ଅସମ୍ଭବ ।।

☆☆☆

 

ପ୍ରାର୍ଥନା

 

ଅଭିବାଦ୍ୟ

ମୋର କୃତାଞ୍ଜଳି ପୂର୍ଣ୍ଣ କରି

ମାତ୍ର ଗୋଟିଏ ବର ପ୍ରଦାନ କର–

ମୋର ଆତ୍ମା ଓ ଶରୀର ଯେପରି ତୁମ-ମୁଖୀ ହୁଏ

ଯେପରି ମାନସ-ମୁଖୀ ମରାଳ ।।

 

ମୋର ସୁକୃତିର ସୁଫଳ !

ଗୋଟିଏ ମନ୍ତ୍ରର ଉଦ୍‍ଗାତା ହେବାର

ଯୋଗ୍ୟତା ମୋତେ ଦିଅ–

ଊର୍ଦ୍ଧ୍ୱବାହୁ ହୋଇ କେବଳ ତୁମକୁ ସ୍ମରଣ କରିପାରେଁ

ଯେପରି ଅରଣ୍ୟର ମହାଦ୍ରୁମ ।।

 

ହିରଣ୍ୟଗର୍ଭ !

ମୋତେ ଗୋଟିଏ ମାତ୍ର ପ୍ରିୟତମ କର୍ମର

ଅଧିକାର ଦିଅ–

ତୁମରି ସାଧାନାର ସୁଯୋଗ୍ୟ ହୁଏଁ

ଯେପରି ଅଗ୍ନିପ୍ରିୟା ସ୍ୱାହା ।।

 

ଏବଂ ଅନ୍ତିମରେ

ମୋର ପ୍ରିୟତମ ବରେଣ୍ୟ ପାପ !

ଗୋଟିଏ ଆଶୀର୍ବାଦ କର–

ତୁମକୁ ମୋର ଶିକାର ଓ ଈଶ୍ୱର ଭାବରେ ଲାଭ କରିବି

ଯେପରି ଧନୀପୁତ୍ର ପିଙ୍ଗଳାର ।।

☆☆☆

 

ଋତୁ ବନ୍ଦନା

 

ନୟନାଭିରାମ ଦୂର୍ବାଦଳ ଶ୍ୟାମ ବାରିବାହ

ଢାଳିଦିଏ ମୁକ୍ତି

ଧୋଇ ଧୋଇ ମଧୁକ୍ଷରା ଗାଁ ମାଟି

ଶସ୍ୟକ୍ଷେତ, ଚାଳଘର

ହୃଦ ଆଳବାଳେ ଜାତକରି ପ୍ରୀତିର ଅଙ୍କୁର

ଶ୍ୟାମ ମେଘ ଭେଟି ଦିଏ ବିପୁଳ ଆନନ୍ଦ ।

ବର୍ଷା ପଡ଼େ ଝରି ।।

 

ଆନ୍ଦୋଳିତ ଶ୍ୟାମଶସ୍ୟ କେଦାରେ କେଦାରେ

ମୁଗ୍‍ଧ ମନେ ଆସନ୍ନ ସୁଖରବୀଜ ବୁଣି ବୁଣି

ବର୍ଷା ଝରିପଡ଼େ ।

ଝରିପଡ଼େ ବର୍ଷା ।

ଶସ୍ୟର ସବୁଜ କାନ୍ତି ସହସ୍ର ମନରୁ

ପୋଛିନିଏ ଚତୁର୍ମାସ୍ୟା କରୁଣ ସମସ୍ୟା ।

 

ଜୀବନର ଅନୁର୍ବରା କ୍ଷେତ୍ରେ ଭରି ଉର୍ବରତା ମଧୁ

ସୁବିନୟୀ ନମ୍ରଧାରା ବର୍ଷା ଝରିପଡ଼େ ।

 

ଭବିଷ୍ୟର ପୀଠେ

ପଲକରେ ଫୁଟିଉଠେ ସ୍ୱଦେଶର

ଏକ ସୁସ୍ଥ ଛବି

ସ୍ନିଗଧ୍‍ ଚାରୁ ଦୁର୍ଲଭ ଆଲେଖ୍ୟ

 

ହୁଏତବା ଏଇ ବର୍ଷା ସାଥେ

ଚିହ୍ନାଗ୍ରାମ ଜଣାଶୁଣା ଗଳି ଗୋହିରିରେ

ଗାଁର ଚପଳ ଶିଶୁ ମୁକ୍ତିକୁ ପଠାଇଦେବ

ଦୂରେ ଦୂରେ କାଗଜଡଙ୍ଗାରେ

କୃତାର୍ଥ କରରେ ତା’ର କରି ପରିପାଟୀ ।

ସେ ଶିଶୁର ପ୍ରେରିତ ବାଣୀରେ

ମୁକ୍ତ ହେବ ମୋ ଦେଶର ସହସ୍ର ହୃଦୟ

ପ୍ରଚ୍ଛନ୍ନ ବନ୍ଦୀତ୍ୱ ଶେଷେ ହୁଏତ ବା ହେବ

ଏଇଥର ଆକାଂକ୍ଷିତ ମୁକ୍ତିର ଉଦୟ ।।

☆☆☆

 

ସାମ୍ରାଜ୍ଞୀର ବ୍ୟର୍ଥତା

 

ସେତ ଚାହେଁ ତାର ବିସର୍ଜନ

ବିନ୍ୟାସରେ ହେବ ପରିଣତ

କଲ୍ୟାଣୀ ମୁଁ ମୋର ତିତିକ୍ଷାରେ ।।

 

ସମଗ୍ର ସମୟ ଏବେ ଉତିଷ୍ଠିତ

ବିଶ୍ୱଶ୍ରୀ ମୁଁ ମୋରି ବନ୍ଦନାରେ

ସ୍ୱାହା ପ୍ରଣବ ପୁଟିତ ଅର୍ପିତ କମଳ

ଜଳେ ଦୀପାଧାର ।

ଏଣେ ତା’ର ଲଳିତ ଅଧର ହୋଇ

ସଜଳ ଜଳଦ ମୋହଲାଗି ବର୍ଷଣେ ଆକୁଳ ।

 

ପ୍ରିୟଦର୍ଶିନୀ ମୁଁ ପାଇଥିଲି ତାକୁ

ବର୍ଷ ବର୍ଷ ତପ ସାଧି ହିମାଦ୍ରିର ନିର୍ଜନ ଅଙ୍ଗରେ

ବଳି ଦେଇ ପ୍ରିୟ ମଦନରେ ।

ଆଜି ପୁଣି ନିଜେ କ୍ରୂରା ହୋଇ

ସ୍ୱେଚ୍ଛାରେ ବରିଲି ମୃତ୍ୟୁ ତାକୁ କ୍ଳେଶ ଦେଇ

ଦେଇ ବହୁ ଯନ୍ତ୍ରଣା ଓ ଅଲଂଘ୍ୟ ଦୁର୍ଭୋଗ ।

 

ମୋର ଶବ ସ୍କନ୍ଧେ ସେତ ଘୂରି ବୁଲେ

ଚରାଚର ଏକାକାର କରି

ମୋ ପାଇଁ ତା ଶେଷ ଅନିବାର୍ଯ୍ୟ

କିପରି ବା ହେବ ମୋର ପୁନର୍ଜନ୍ମ

ତାର ଆତ୍ମ ବିସର୍ଜନେ କିପରି ବା ମୁଁ କରିବି

ବିନ୍ୟାସରେ ପରିଣତ

ମୋ ଦାନର ଅମୃତ କଣାରେ !

ମୁଁ ତ ନିଜେ ଏକ ମୃତ

କେଉଁପରି ଅମୃତ ସନ୍ଧାନ

ମୁଁ ପାରିବି ଦେଇ !!

 

ମୋର ଏଇ ଅକ୍ଷମତା ମୋର ଶେଷ ପାପ !

କ୍ଷମାକର ସ-କ୍ଷମ ଜୀବନ !

ମୋର ଏଇ ଅକ୍ଷମତା ଆତ୍ମସାତ୍‍ କରି

ଆଜି ମୋର ଅସହାୟ ମରଣ ବରଣ ।।

☆☆☆

 

ନାମ୍ପୋ

 

ଛୁଟିର ପ୍ରାଚୁର୍ଯ୍ୟ ଧୀରେ ହୋଇଆସେ ଶେଷ ।

ତୀର୍ଥଭୂମି ଏ ଗାଆଁରୁ ଘେନିବି ମେଲାଣି

ଦୋହଲାଏ ହୃଦୟ ମନକୁ

ବିଦାୟର ଭୀରୁ ମୁଖବନ୍ଧ

ଜନ୍ମମାଟି ପଛରେ ରହିବ

ଯିଏ ମୋତେ ଦେଇଥିଲା ସଙ୍କର ଆନନ୍ଦ ।।

 

ଆଜି ଛୁଟି ଶେଷେ

କେବଳ ପାଶ୍ଚାତ୍‍ ଦୃଷ୍ଟି ଛଳଛଳ କରୁଣ ବେହାଗ

ସ୍ମୃତି ବୋହି ଫେରିଯିବି ଭବିଷ୍ୟ ପୀଠକୁ

ଶୂନ୍ୟ ଗୋପ ପରି

ଦୂରରେ ରହିବ ପଡ଼ି ଗାଁର ସୋହାଗ ।

 

ଅଦିନ ଶ୍ରାବଣସମ ଝରଝର ଆଖିର ଆକାଶ

ଚିହ୍ନା ଚିହ୍ନା ସୁଖ ବିରହରେ

ପଛ କରି ବାପା ସ୍ମୃତି ଶ୍ମଶାନ ମା’ର

ଯିବି ମୁଁ ସହରେ ।।

 

ଗାଁ ମୋର ମା’ ମୋର ତୁଚ୍ଛ ନୁହେଁ

ହେୟ ନୁହେଁ ଛୁଟିର ପ୍ରହର

ଛୁଟି ମୋର ଜଞ୍ଜାଳରୁ ମୁକ୍ତି

ଗାଁ ମୋର ତୀର୍ଥମୟ ଜୀବନର ସାଧୁ ସୂତ୍ରଧର ।।

☆☆☆

 

ଅଧରା

 

ପେଣ୍ଡୁର ଅର୍ଦ୍ଧାଂଶ ପରି ଗୋଲ ସନ୍ଧ୍ୟା

ଖସିପଡ଼େ ଉଦାସୀନ ଗୋଧୂଳି ହାତରୁ

ଅଚାନକ ନାଚେ ଅନ୍ଧକାର

 

ଦିବାକର !

ଗୃହକୁ ଫେରିବା ବେଳ ହେଲାପରା

ଅଦୂରରେ ରାତ୍ରିର ଡାକରା ।

ଏ ପୃଥ୍ୱୀର ଅନିବାର୍ଯ୍ୟ ଅନ୍ଧାରକୁ ମୃତ୍ୟୁ ମଣୁଛ କି ?

ମୃତ୍ୟୁର ସହର ଡେଇଁ ଯିବ ଯାଅ

ଡେଇଁଗଲା ପରେ

ପଛ ଫେରି ଥରେ

ଯଦି ଚାହଁ କହିଯାଅ

କାହା ମୁହଁ ଦିଶିବ ତୁମକୁ ?

 

ଅସ୍ତ ସୂର୍ଯ୍ୟ !

ତୁମ ପାଇଁ ନଷ୍ଟ ପୃଥିବୀକୁ

ପାରିବ କି ମନେକରି, ନିଜ ଆଖି କଳା ନେସି

ସାରା ମୁହଁ ଅନ୍ଧକାର

ବସିଛି ବିଷଣ୍ଣମନା ମୌନାବତୀ

ଏ ଧରତୀ ।

 

ପାନଶାଳା ଶେଷତମ ମାତାଲ ବି ଘରକୁ ଗଲାଣି ।

ରାତି ବଢ଼ିଲାଣି ।

ଏ ପୃଥ୍ୱୀ ବାସକସଜ୍ଜା ଅଧୋମୁଖେ ପାଳୁଛି ବିରହ

ତୁମ ପାଦ ଖରତର

ଆଗରେ ରାତିଏ ପଥେ ଡେଇଁବାକୁ ମୃତ୍ୟୁର ସହର ।

 

କେଉଁ ବିଶ୍ୱେ ମୃତ୍ୟୁ ନାହିଁ

କେଉଁ ବିଶ୍ୱେ ପଥ ନିଶା ନାହିଁ

କେଉଁ ଗ୍ରହେ ଶାନ୍ତି ଅଛି

ଆପଣାର ଉତ୍ତରୀ ଉଡ଼ାଇ ।

ଦିବକାର !

ଆଉ କେଉଁ ପୃଥ୍ୱୀଲାଗି

ତୁମର ଏ ନବ ଅଭିସାର ?

କ୍ଷଣେ ରୁହ

ତୁମ କୋଳେ ସୁନିଦ୍ରା ଯିବାର

ଗୋଟିଏ କାମନା ମାତ୍ର

ସମୟର ବ୍ୟର୍ଥ ତୂଳୀ ମାତ୍ର

ସମୟର ବ୍ୟର୍ଥ ତୂଳୀ ଗାର

ନ ପାରିବ ପୋଛି ତାକୁ

ହେ ସବିତା !

ପ୍ରଣତା ଏ ପୃଥ୍ୱୀ

ନିବେଦିତା ।।

☆☆☆

 

ଛୁଟି

 

ସୁଦୀର୍ଘ ପ୍ରତୀକ୍ଷା ପରେ ନାତିଦୀର୍ଘ କର୍ମର ବିରତି

ଛୁଟି । ଛୁଟି । ଛୁଟି

ଆଳସ୍ୟ ଓ ଆରାମର

ଆନନ୍ଦ ଓ ବିଶ୍ରାମର

ଉପଭୋଗ୍ୟ ଅସ୍ଫୁଟ ଦରୋଟି ।

 

କଂକ୍ରିଟ ସହର ଯେଉଁ ସ୍ୱପ୍ନ ସବୁ

କରିଦିଏ କ୍ରମ ଧୂସରିତ

ତାକୁ ନୂଆକରି ଦେଖିହୁଏ ଛୁଟିର ବାସରେ

ବିକଳାଙ୍ଗ ପରିବେଶ ଯେଉଁ କଳ୍ପନାକୁ

କରିଦିଏ କ୍ରମଶଃ ମଳିନ

ତାକୁ ନୂଆରଙ୍ଗ ଦେଇହୁଏ ଛୁଟିର ପ୍ରହରେ ।

 

ହେଳାରେ ହେଳାରେ କାମର ଦାନବୀୟ ଚାପରେ

ଅଥବା କ୍ଳାନ୍ତିର କାମଳ ଗ୍ରାସରେ

ଯେଉଁ ପ୍ରିୟଜନର ଖବର ରଖିହୁଏ ନାହିଁ

ବସେଇ ବସେଇ ଡଉଲ ଅକ୍ଷରରେ ତାକୁ

ମନମୁତାବକ ଚିଠି ଲେଖିବାର ଅବସର

ସଜୀବ ଏଇ ଛୁଟିର ପ୍ରହର ।

ବହୁକାଳ ପରେ ସନ୍ନ୍ୟାସୀ ସହରର

ନିର୍ଲିପ୍ତ ବନ୍ଧନକୁ ତୁଚ୍ଛ କରି

ସଂସାରୀ ଜନ୍ମମାଟିର ସ୍ନେହାଧୀନ ହେବାର

ସଦୟ ସୁଯୋଗ ଛୁଟି ଆଣି ଦିଏ ।

 

ପୁଣି ପରଲୋକଗତ ବାପା ମା’ଙ୍କର

ଧୂଳି ଧୂସରିତ ସ୍ମୃତି

ରୁଦ୍ରାକ୍ଷମାଳା କିମ୍ବା ଫଟୋଟିକୁ

ଝାଡ଼ିଝୁଡ଼ି ଆଗାମୀ ଛୁଟି ପର୍ଯ୍ୟନ୍ତ

କୃପଣର ଧନପରି ସାଇତି ରଖିବାର

ସୁବର୍ଣ୍ଣ ସୁଯୋଗ ଏଇ ଛୁଟି ଆଣିଦିଏ ।

 

ପତିଗୃହରୁ ସଦ୍ୟ ପ୍ରତ୍ୟାବର୍ତ୍ତିତା

ବାଲ୍ୟ ସଙ୍ଗିନୀର ବାଳୁତ ପୁଅକୁ

କୋଳରେ ଯାକି ଗାଲରେ ହାତରଖି

ଲଙ୍ଗଳା ଶୈଶବଠାରେ ଆତ୍ମହରା ହୋଇ

ଆତ୍ମସମର୍ପଣ କରିବାର ଚମତ୍କାର ପରିବେଶ

ଛୁଟି ଗଢ଼ିଦିଏ ।

 

ଆଜି ଆସନ୍ନ ସେଇ ଛୁଟିର ପ୍ରହର ।

ଛୁଟି । ଛୁଟି ।

ଆନନ୍ଦ ଓ ଆରାମର ଅସ୍ଫୁଟ ଦରୋଟି ।

☆☆☆

 

ମେଘାବଲୋକନ

 

ମେଘର ଡମ୍ବରୁ ବାଜେ

ଅବା ବାଜେ ଦେବାସୁର ଯୁଦ୍ଧର ଦୁନ୍ଦୁଭି ।

ଫଗୁଣ ଗଲାଣି ଫେରି ଦୂରଗ୍ରାମ ନିରୋଳା ନଈର

କ୍ଷୀଣ କଟିବନ୍ଧ ଡେଇଁ ଆଷାଢ଼ ସୁଦୂର

ଉତ୍ତର ମେଘକୁ ଡାକି ଆସିଅଛି ପୁରକୁ ମୋହର

ଫୁଟାଇ ପ୍ରୀତିର ପୁଷ୍ପ କିଆ କଦମ୍ବର ।

ସୁଦୂର ଗ୍ରାମର କେଉଁ ଦୂରବତୀ ନଈ

ଆଷାଢ଼ ମିଳନେ ମତ୍ତ ବିରହର ଦିନ ପାରି ହୋଇ ।

ଆଷାଢ଼ ଆସିଛି ଆଜି ଏହାପରେ ଧାରା ଶିରାବଣ

ଆସିଛି ଉତ୍ତର ମେଘ ହେବ ତା’ର ଧରାବତରଣ

ଘୋର ଘନକାଳେ ତୁମେ ବନ୍ଦୀହେଲ କାହାପୁରେ ଯାଇ

କାହା କ୍ରୂର ଅଭିଶାପେ ଚରିନ୍ତନ ବିରହ ମୁଣ୍ଡାଇ ।

‘ସ୍ୱାଧିକାର ପ୍ରମତ୍ତ ହେ ରାମଗିରି

ସେ କେଉଁଠି କହ ?

ଯହିଁ ମା ବିରହୀ ଯକ୍ଷ ସେଇପୁରେ

ମୋତେ ଘେନିଯାଅ ।’

☆☆☆

 

କବିତା ପାଇଁ କବିତାଟିଏ

 

ଦୀର୍ଘଦିନ ନୀରବତା ସ୍ଥାଣୁତ୍ୱ ବା ସ୍ଥବିରତା ଏହା

ଲେଖି ନାହିଁ ମୁଁ କିଛି କବିତା

ଅକର୍ଷିତା ପାଣ୍ଡୁଲିପି ମୋର ।

 

କବିତା ଯାଇଛି ଚାଲି ମଧୁବନେ ଭରି ହାହାକାର

କାହାର କୁଟିଳ ଶାପେ । ଅହେତୁକ କାହା କ୍ରୂରତାର

ହୋଇଛି ଶିକାର ଅବା ମୋ କବିତା

ଅବା ମୋର କବିତା ରଚନା

ସ୍ୱାର୍ଥପରତାର ଏକ ଭେକ ବୋଲି

ନିଜେ ଆଜି କବିତା ଉନ୍ମନ ।

ପ୍ରିୟବତୀ ସୁଭାଷିଣୀ ଫୁଟେ ନାହିଁ ମୋ ଚାରୁ ତୂଳୀରେ

କଳ୍ପନା ଓ ବାସ୍ତବର ଭାସ୍କର୍ଯ୍ୟ ନିପୁଣ ।

ଅଭିମାନେ ଦୂରସ୍ଥିତା ଆଜି ଅଶ୍ରୁମତୀ

କାହ୍ନୁର ହେଳାରେ ସଢ଼େ ଯେଉଁପରି ଗୋପର ଶ୍ରୀମତୀ ।।

 

କବିତା ତ ମୋର ପ୍ରିୟତମା/ପ୍ରିୟତମ

ମୋ ସ୍ୱପ୍ନର ସଜଫୁଲ ମୋ ନିଭୃତ ସହଚାରୀ

ଚିନ୍ତା ହ୍ରଦେ କୁମୁଦ ରକ୍ତିମ ।

ଜାୟା ବଧୂ ଭଗିନୀ ବା ମାତା ପରି ଦୟାମୟୀ

କବିତା ମୋହର । ବିଦଗ୍‍ଧା ରସିକା

ସିଦ୍ଧିର ସାଧନାମାର୍ଗେ ସେଇ ସାଧ୍ୟ

ସେ ପୁଣି ସାଧିକା ।।

 

‘ବନ୍ଧୁ ତୁହି ଧନ ତୁହି ପ୍ରାଣ ତୁହି ସତେ

ବନ୍ଧୁ ଧନ ଦୂର କରି ଆଣିଛି ସଙ୍ଗତେ ।।’

 

ସେଇତ ମୋହର ବାଣୀ ସିଏ ମୋର ପ୍ରିୟତମ ସ୍ଫୁଟ

ସେ ତ ନାଦ । ସେ ତ ବିନ୍ଦୁ ।

ମୁଁ ତ ପରଂବ୍ରହ୍ମ ପରି ଆପଣାର ଏକାକୀତ୍ୱ ବୋହି

ନ ପାରିଲି ପଥବାହୀ, ସୃଷ୍ଟିକଲି ତେଣୁ ତ ବିଦେହୀ/

ସନ୍ଦେହୀ ମୋ କବିତାରେ ।

ସେଇ ମୋର ପାର୍ଥିବ ଜୀବନ

ସେ ପୁଣି ଅପାର୍ଥିବ ଉତ୍ତରଣ

ଜୀବନର ସଫଳ ସନ୍ଧାନ ।।

 

ରୂପବତୀ କଳାବତୀ ଚିର ଅଭିମାନୀ

ପ୍ରେମ ଯା’ର ଫଲ୍‍ଗୁର ଉଜାଣି ।

ଦୟା ଯା’ର ସୁରଧୁନୀ ଧାରା ।

ମୁଦ୍ରାରେ ଯାହାରା ସଦା ନବନବ ଠାଣି ।

ସେଇ ମୋ କବିତା

ଆସେ ବହୁ ତପଜପ ପରେ

ତପସ୍ୟାର ଶେଷେ ଯେହ୍ନେ

ତପୋଧନ ଲଭେ ତପ ଫଳେ ।।

 

କେବେ ପୁଣି ସୁହୃଦୟା ଦୟାବତୀ

ନିଜରୁ ସୁଦୃଶ୍ୟା ହୁଏ କାଟି ଅନ୍ଧକାର

ମୋ ହୃଦ କନ୍ଦରୁ । ଆଲୋକିତ କରିବାକୁ

ପୃଥିବୀକୁ । ଢାଳିବାକୁ ଶାନ୍ତିବାରୀ

ବାହିବାକୁ ତୃପ୍ତିର ତରଣୀ ।

 

କେବେ ଅବା ଆଣିବାକୁ ଲୋହିତ ବିପ୍ଳବ

ସେତ ଆସେ ସାଥେ ଘେନି

କେବେ ପୁଣି ମୁକ୍ତିର ଉତ୍ସବ ।

ସେତ ନିଜେ ପୂତ ମନ୍ତ୍ର

ନିଷ୍ଠାପର ମୁଁ ତାର ଉଦ୍‍ଗାତା

ପରସ୍ପରେ ଲୀନ ଆମେ

ମଧ୍ୟେ ନାହିଁ କୌଣସି ଭିନ୍ନତା ।

କିନ୍ତୁ ଆଜି ସେ କରିଛି ମାନ ।

କଳାବତୀ ଆଉ ଆଜି

ରୂପବତୀ ହୁଏ ନାହିଁ ମୋ ଶବ୍ଦ ବ୍ରହ୍ମରେ

କଳ୍ପନା ଓ ବାସ୍ତବର ଭାସ୍କର୍ଯ୍ୟା ନିପୁଣ ।।

☆☆☆

 

ଯାଚନା

 

ସେ କହିଲା : ମୁଁ ତ ନୁହେଁ ରାମଚନ୍ଦ୍ର ।

ମୋର ବା ସେ ଶକ୍ତି କାହିଁ

ପଥରେ ପଥର ନାରୀ କରିବାକୁ ହେବି ମୁଁ ସକ୍ଷମ

ପାଦରେଣୁ ମୋର ନୁହେଁ କଳୁଷ ହରଣ

ମୁହୂର୍ତ୍ତେ ନଉକା ହେବ ନାୟିକା ଓ

ତେଣୁ ତୁ ପାଷାଣୀ

କାରୁଣ୍ୟରେ ଉଭା ମୋର ଏ ପ୍ରାର୍ଥନା ବାଣୀ

ଶୁଣି ହୁଅ ଦେହୀ

କଲ୍ୟାଣୀୟା ପ୍ରେୟସୀ ମୋହରି !

 

ମୁଁ ତ ରଘୁବୀର ନୁହେଁ

ନୁହେଁ ବିଷ୍ଣୁଅଂଶୀ

ସାମାନ୍ୟ ମାନବ

ଶୌର୍ଯ୍ୟର ପରୀକ୍ଷା ଯଦି ଚାହୁଁ ଦେଇପାରେ

ନ ଚାହୁଁଣୁ ଦେଇପାରେ ହୃଦୟ ଓ

ହୃଦୟର ଆରକ୍ତ କମଳ–

ପ୍ରୀତି ଶତଦଳ

ମୁକ୍ତିର ପରୀକ୍ଷା ମୋତେ ମାଗ ନାହିଁ ପ୍ରିୟା !

ମୁକ୍ତି ମୋର ସାଧ୍ୟ ନୁହେଁ

ଶିବାନୀ, ତୋ ମଧ୍ୟେ କରେଁ ଶକ୍ତିର ବନ୍ଦନା

ପାଷାଣୀ କଲ୍ୟାଣୀ ହୋଇ ହୁଅ ଦେହଧାରୀ

ତୁହି ମୋର ସାଧ୍ୟ, ଦେବୀ !

ମୁଁ କରୁଛି ତୋ’ରି ସାଧନା ।।

☆☆☆

 

ରୂପକ

 

କଣୟର କର୍ଣ୍ଣପୁର କେୟୂର କଂକଣ

ଆଣିଦେବି ବିଦେଶରୁ

ପ୍ରିୟ ସାଧବାଣୀ !

ବଳା ନାହିଁ, ଆଜ୍ଞା ଦେ ଯାଏଁ ମୁଁ ବିଦେଶେ

ନେଇ ପଣ୍ୟଭାର

ସାଧବର ପୁଅ ମୁଁ ବାଣିଜ୍ୟ ମୋ

ଜାତିର ବେଭାର ।

ଉନ୍‍ ଦେଶେ ପଣ୍ୟ ବିକି ଆଣିଦେବି

ବୈଡ଼ୁର୍ଯ୍ୟର ମଣି

ତୋ ଗହନ କେଶଲାଗି

ଆଣିଦେବି ନୀଳାମ୍ବରୀ ଚିନାଂଶୁକ କଟିର ମେଖଳା

ଆଜ୍ଞା ଦେ ବାଳା

ଯାଏଁ ମୁଁ ବିଦେଶେ

ଗଜ ମୋତି ହୀରାନୀଳା ଆଶେ !

 

ଆଖିରୁ ମୁକୁତା ଝାଡ଼ି କହେ ସାଧବାଣୀ

ରଖ୍‍ରେ ସାଧବ ପୁଅ

ରଖ୍ ରଖ୍‍ ତୋର ଚାଟୁବାଣୀ !!

ନୀଳାମ୍ୱରୀ ତୁଚ୍ଛ ସିନା

ତୁହି ମୋର ଲଜ୍ଜା ନିବାରଣ

ତାର ପ୍ରେମ ବୈଡ଼ୁର୍ଯ୍ୟର ମଣି

ହୃଦୟ ଭୂଷଣ

ତୋ ଋଚିର ପ୍ରୀତିପୂର୍ଣ୍ଣ ଖେଳା

ଇନ୍ଦ୍ରନୀଳ ସୁଚାରୁ ମେଖଳା

ତୋ ବାହୁର କାଂକ୍ଷିତ ବନ୍ଧନ

ତୁଚ୍ଛ କରେ ଲକ୍ଷେକୋଟି କେୟୂର କଂକଣ !

 

ମୋତେ ତୁ ବଳନା ଆଉ ଏ ଚତୁର୍ମାସ୍ୟାରେ

ଆମନ୍ତ୍ରି ଆଣିବା ପାଇଁ ବିରହର

ଅଶୁଭ ବାସରେ ।

ନାରୀଏ ସୁବେଶ ଦେଖ୍‍

ଦୂରଦେଶୀ କାନ୍ତପଥ ଚାହିଁ

ଏ ବେଳରେ ଦୂରେ ଯା’ ନାହିଁ

ଆଖିର ଲୁହରେ ମୋର

ସୃଜି ଦେଇ ବିରହର ନଈ ।।

 

ସାଧବ କହଇ

ଅଭିଯୋଗ ଅଭିମାନ ଏବେ ନ ଯୋଗାଇ ।

ଆଜ୍ଞା ଦେ ଯାଏଁ ମୁଁ ବିଦେଶେ

ଗଜମୋତି ହୀରା ନୀଳା ଆଶେ ।।

 

ପ୍ରକମ୍ପିତ ନାସାର ବସଣୀ

କହେ ସାଧବାଣୀ;

ରଖ୍‍ରେ ସାଧବ ପୁଅ ତୋର ଚାଟୁବାଣୀ !

ଭୟ ହୁଏ ବିଦେଶର ସେ କେଉଁ କୁଟ୍ଟିନୀ

ତୋତେ ନେଇ ଭେଟି ଦେବ ରାଜକନ୍ୟା

ନୀଳ ଭୁଜଙ୍ଗିନୀ

ହୀରାମୁଦି ଉପହାର ଆସେ

ଧନେ ଆମ କିବା ଯାଏ ଆଶେ !!

 

ଶୂନ୍ୟ କରି ମୋ ହୃଦକୁଟୀର

ବିଦେଶେ ନ ଯାଆ ଆଉ

ପଣ୍ୟତ ସଞ୍ଚିତ ଅଛି ଆମ ହୃଦ

ନିରୋଳା ଗନ୍ତାରେ

ନେଇ ଶିଖ୍‍ ! ଦେଇ ଶିଖ୍‍

ସାଧବର ପୁଅ ! ଭାବର ବେଭାରେ ।।

☆☆☆

 

ସ୍ୱବିରୋଧର କବିତା

 

ଏକ ଲୁପ୍ତ ଚେତନାର ରାତ୍ରିପରି

ତୁମର ସାନ୍ନିଧ୍ୟ

ଶବ୍ଦହୀନ ଅଶବ୍ଦର ପୀଡ଼ା

ଅମସୃଣ ସମୟକୁ ବାରମ୍ବାର ଝୁଣ୍ଟି

ସତ୍ତାଙ୍କର ଶୋଭାଯାତ୍ରା ଅସତ୍ତା ଆଡ଼କୁ

ତୁମର ସାନ୍ନିଧ୍ୟ ।।

 

ଏହାପରେ ଗୋଟିଏ ସନ୍ଧ୍ୟାରେ ଚିତ୍ର ଦିଏଁ

ଋତୁମାନେ ସଂଯତ ତଥାପି

ନାରୀ ଯେତେ ଋତୁମତୀ

ନଦୀମାନେ ଅସଂଯତ

ଜ୍ୟୋତ୍ସ୍ନାର ଅଣୁରେ ସ୍ନାତ ଯେତେକ ପାହାଡ଼

ନାରୀଙ୍କର ନୀଳକଇଁ ସ୍ତନର ପହଡ଼ ।

 

ଏପରି ସନ୍ଧ୍ୟାରେ

ନିଷ୍ପେଷିତ ନିରଂଶ ମୁଁ

ମୋ ନିଜର ନିଷ୍କ୍ରମଣ ପଥ ଖୋଜେଁ

ଛୁଟି ଚାଲେ କେବେ ଘୁରେ ମୋରି ଚାରିପଟେ

ଅନ୍ଧ ଏକ ହରିଣ ସମାନ

କଦବା ଉନ୍ମନ

କୋମଳ ଅନ୍ଧାର ପୃଷ୍ଠପଟେ

ଉତ୍ତରଳ ମୋ ନିଜର ଗନ୍ଧେ

ମୁହିଁ ଅନ୍ଧ

ମୋହଠାରେ ପୃଥିବୀ ମୋହାନ୍ଧ

ମୁହିଁ ନାରୀ ମୁହିଁ ଯାଯାବରୀ

ଜୀବନ, ମରଣ ପୁଣି ମରଣାନ୍ତ ସମୟର

ଉତ୍ତରାଧିକାରୀ ।।

 

ସବୁସତ୍ତ୍ୱେ ମୁହିଁ ଅଧମର୍ଣ୍ଣ

ମୋଠାରେ ପରାଜିତ

ଭୀମକାନ୍ତ, ସୌମ୍ୟ, ସୁଦର୍ଶନ

ଏକ ଅଶ୍ୱାରୋହୀଠାରେ ମୁଁ ଚିରବନ୍ଦିନୀ ।

ମୋହଠାରେ ସିଏ ଚିର ଲୀନ ।

 

ଏପରି ସନ୍ଧ୍ୟାରେ

କେବେ ବା ପର୍ଯ୍ୟାୟକ୍ରମେ ଚାହିଁ ଦେଖେ

ମୁଇଁ କେଣେ ନାହିଁ

ତୁମେ ବି ସତ୍ତାକୁ ଡେଇଁ ଅସତ୍ତାରେ ଯାଅ ଲୀନ ହୋଇ

କେବେ ମୋର ମନେହୁଏ ନିଜେ ମୁଇଁ ମୁକ୍ତିରଇ ନଦୀ

ପୁଣି ମୋରି ମୁକ୍ତିଲାଗି ମୋ ନିଜର ଶୋଭାଯାତ୍ରା

ମୋରି ମୃତ୍ୟୁ ଦିଗେ ।

ନିଜେ ମୁଁ ନିଜର ମୃତ୍ୟୁ, ନିଜ ବାଣେ

ନିଜେଇ ଧ୍ରୂପଦୀ ।।

☆☆☆

 

ବିରହ

 

ରାତି ଯେବେ ଶୋଇଯିବ

ଚୁପ୍‍ଚାପ୍‍ ନିଶବଦ ହୋଇ

ରାତ୍ରିପକ୍ଷୀ ଉଡ଼ିଯିବ

ନୀଡ଼ ଛାଡ଼ି ଆହାର ଆଶାରେ

କୁଲାୟେ ଶାବକ ତାର

ପଡ଼ିଥିବ ନିଦରେ ଘାଲେଇ

ଜ୍ୟୋତ୍ସ୍ନା ତଡ଼ି ନେଉଥିବ

ଅନ୍ଧାରକୁ ସ୍ୱକୀୟ ଗର୍ବରେ ।

ନଈ ବୋହି ଯାଉଥିବ ଆଗପରି

ଆନମନା ବିରହ କାତର

ଦୂରେ କାହିଁ ରହି ରହି

ଡାକୁଥିବ ଭୀରୁ ଚକ୍ରବାକ

କେ ବାସକସଜ୍ଜା ଶୁଣି ସମ୍ବରିବ

ନିରୋଳାରେ କୋହ

ଏ ପୃଥିବୀ ଅଧୋମୁଖ

ପାଳୁଥିବ ଆପଣାର ଶୋକ ।।

ସେତେବେଳେ ଶୋକଗ୍ରସ୍ତ

ଏଇ ପୃଥିବୀରେ

ତୁମେ କି ନିଃଶବ୍ଦେ ଆସି

ଉହ୍ଲାଇବ ଶୂନ୍ୟର ସିଡ଼ିରୁ

ସ୍ଥାବର ଜଙ୍ଗମ ଭେଦି

ରାଜୁଥିବା ଅଖଣ୍ଡ ବିରହ

ବ୍ରୀଡ଼ାରେ ଢାଙ୍କିବ ମୁଖ

ଅଚାନକ ତୁମରି ସ୍ପର୍ଶରୁ ।।

☆☆☆

 

ପରକୀୟାର ଶେଷ ମହାକାବ୍ୟ

 

ତୁମେ ତୁମର ପତ୍ନୀକୁ ପାରିବ କି କହି:

‘ଶୁଣ ମୋ ଗୃହିଣୀ,

ତୁମଠାରୁ ମୋର ମନ ଅନ୍ୟପଥେ ଯାଇ

ଛୁଟି ଅଛି ଏକଇ ମୃଗୁଣୀ ପଛେ ପଛେ

ଓ ସେଠାରେ ଲୋଡ଼ିଛି ଆଶ୍ରୟ ।’

କହିକି ପାରିବ

‘ଜାୟା ! ତୁମେ କିନ୍ତୁ ନୁହଁ ମୋର ପ୍ରିୟା

ଯାହା ପାଇଁ ଚେତନା ମୋହର

ସୁଦୂରପ୍ରସାରୀ

ଯାହାପାଇଁ କବିତା ରଚନା

ଯିଏ କରେ ଗୃହସ୍ଥକୁ ଗୃହଛଡ଼ା ଯାଯାବର

ଅଶାନ୍ତ ଅସ୍ଥିର

ଯାଯାବରକୁ କରଇ ସ୍ଥିର ସମାହିତ

ପରାଧୀନେ ଦେଇପାରେ ଚିର ସ୍ୱାଧୀନତା

ସ୍ୱାଧୀନକୁ କରିପାରେ ଆପଣାର ବନ୍ଦୀ

ଯୁଦ୍ଧ ମାଗେ

ଜୟ ପରେ ପରାଜିତ ସଙ୍ଗେ କରି ସନ୍ଧି

ସର୍ତ୍ତରୂପେ ଟେକିଦିଏ ଆପଣାର ବିଜୟକୁ,

ଲାଜାଞ୍ଜଳି ପୂର୍ଣ୍ଣାଞ୍ଜଳି କରି ।’

କହିକି ପାରିବ,

‘ତୁମେ ନୁହଁ ସିଏ; ସେ ନୁହେଁ ତୁମରି

ନିଭୃତ ଛାୟା । ଗୋପନଚାରିଣୀ

ମୋର ପ୍ରିୟତମା ସେ ହରିଣୀ

କେତେବେଳେ ଶାନ୍ତା ବା ସୁଭଦ୍ରା

କେତେବେଳେ ଗିରିନଦୀ କଳ ନିନାଦିନୀ

ଆପଣା ଆୟୁଧେ କରେ ହରିଣ ଶିକାର ।

କେବେ ପୁଣି ସେ କୃପଣ ନାରୀ

ନିଜକୁ ଫେରାଇନିଏ ମୋ ଠାରୁ

ମୃତ୍ୟୁ ଅଳି କରି

ଦେଇ ଶେଷେ ଅଶେଷ ଯନ୍ତ୍ରଣା

ସମ୍ଭାବ୍ୟକୁ ମୋ କାବ୍ୟକୁ ଭ୍ରୂଣୁ ହତ୍ୟା କରି ।

‘ଆଗୋ ପତ୍ନୀ !

ତୁମେ ନୁହଁ ସେଇ ନାରୀ

ସେ ବି ନୁହଁ ତୁମର ସପତ୍ନୀ ।’

 

ଯାହା ପାଇଁ ସଫଳିତ ତୁମର ପିତୃତ୍ୱ

ଯାହାଲାଗି ତୁମ ଗୃହାଙ୍ଗନ

ଶାନ୍ତ ତପୋବନ

ତୁମେ ମଧ୍ୟେ ଯିଏ ଏକ ଆତ୍ମ ଅନ୍ୱେଷଣ

ତାକୁ ତୁମେ ଦୂରେ ଦେଇ ଠେଲି

କିପରି ବା ଖୋଜିଯାଅ ଅନ୍ୟର ଆଶ୍ରୟ

ବରିବସ ଆପଣାର ଅଜ୍ଞାତବାସରେ

ଏ ଅଜ୍ଞାତବାସ ନୁହେଁ ତୁମର ସର୍ବସ୍ୱ

ଉତ୍ତରାର ନୃତ୍ୟଶିକ୍ଷା ଦିନେ ହେବ ଶେଷ ।

ତଥାପି ମୁଁ ଜାଣେ ଜାଣେ

ଭୀମକାନ୍ତ ପୁରୁଷଉତ୍ତମ

ତୁମରି ଆତ୍ମାର ଡାକ ଅମୋଘ ଆହ୍ୱାନ ପରି

ମୋତେ ଡାକେ ଘୁରି

ଯେଉଁପରି ଦ୍ୱାପରରେ ବଂଶୀସ୍ୱରେ

ରାଧା ରାଧା ଜପିଲା ଶ୍ରୀହରି ।

 

ସେ ଡାକରେ ଅହରହ ହୁଏଁ ମୁଁ ଉନ୍ମନ

ଅନେକ ପଛରେ ଦୂରେ ପଡ଼ିରହେ ସମାଜ ବନ୍ଧନ

ଇଥରର ପଥବାହୀ ଆତ୍ମା ମୋର ତୁମ ଦିଗେ ଛୁଟେ

ରାତ୍ରିର ଆକାଂକ୍ଷାମୟ ପୃଥିବୀର ଶ୍ୟାମତନୁ ତଟେ

ରଚି ଅଭିସାର

ଆତ୍ମାହୁତି ପୂର୍ଣ୍ଣାହୁତି ହୋଇ

ତଦ୍‍ଗତ ମୁଁ ହୋଇଯାଏଁ

ତୁମଠାରେ କ୍ରମେ ଏକାକାର ।

କିନ୍ତୁ ମୋର ଅଣାକାର ଏଇ ଆତ୍ମଦାନ

ଚିର ଅବାସ୍ତବ । କେବଳ ସପନ ।

ମୁଁ କେବେ ବାସ୍ତବ ହୋଇ ତୁମଠାକୁ ଛୁଟିଯାଏ ନାହିଁ

ମୋ ଅନ୍ୟମନସ୍କ ମନ ଦେଖିପାରେ ଏକ ମ୍ଳାନ ଛାଇ

ମୋ ଆନନ୍ଦ ମଧ୍ୟେ ଧୀରେ

ଭାସି ଉଠ କ୍ରମେ ହୁଏ ବଡ଼

ଯେପରି ଅମୃତକଣା ଭ୍ରୂଣ ଭାଙ୍ଗି

ସୁପ୍ତିର ପହଡ଼

ଅନ୍ଧକାର ମାତାର ଜଠରୁ ଜନ୍ମ ନିଏ,

ସେଇପରି କ୍ରମୋଜ୍ଜ୍ୱଳ ସତ୍ତା

ବିଡ଼ମ୍ବିତା ତୁମରି ଜାୟାର

ମୋ ସମ୍ମୁଖେ ହୋଇଯାଏ ସ୍ଥିର

ଗୁଣମୁକ୍ତ ଶର ପରି ପ୍ରଶ୍ନେ ବିଦ୍ଧ କରେ ମୋତେ

‘ତୁବା’ କିଏ ?

କୁଳ ସଂହାରିଣୀ ? ଅବା ପ୍ରତିଦ୍ୱନ୍ଦୀ ମୋର ?

 

ଗୋପନେ ମୋ ପଦ୍ମବନ କରୁ ନାରଖାର !

କେବେ ବା ସ୍ୱପ୍ନରେ ଦେଖେ

ମାତାପରି ଅଚଞ୍ଚଳ ଏକ ନାରୀ

ଭିକ୍ଷା ମାଗେ ମୋହଠାରେ ଅଞ୍ଜଳି ପ୍ରସାରି

ପାଇବାକୁ ତୁମକୁ ଫେରାଇ

ଓ ସ୍ୱପ୍ନ ତୁଟିଲେ ଦେଖେଁ କେଣେ କେହି ନାହିଁ ।

ସ୍ୱପ୍ନ ମୋତେ ବିଦ୍ଧ କରେ ନାଗପାଶ ପରି

ନିଜକୁ ମୁଁ ଅଭିଯୁକ୍ତ କରେଁ

ନିଜର ଦହନ ଶେଷେ ନିଜେ ହୁଏଁ ଘାରି ।

ପ୍ରିୟତମ, ଜାଣ ନାହିଁ କେଉଁପରି ପରକୀୟା

ଅଭିଯୁକ୍ତ ହୁଏ ନିତ୍ୟ ଘରେ ଓ ବାହାରେ

ସମଗ୍ର ସମୟଠାରେ, ନିଜେ ନିଜଠାରେ;

ଶାନ୍ତି ତାର ହୁଏ ଛିନ୍ନଭିନ୍ନ

ସେ ଦହନ କେବଳ ନାରୀର

 

(ପୁରୁଷର ଦରବାରେ ପୁରୁଷ ତ ଚିରସତ୍ୟ

ଚିର ଭ୍ରାନ୍ତିହୀନ !)

ଜାଣନାହିଁ ନାରୀ ହେବା ଯାତନା ଅନେକ ।

ଘୃଣାର ଗରଳ ଭକ୍ଷି ଭାଲେ ମଣ୍ଡି ଲଜ୍ଜାର କସ୍ତୁରୀ

ଗୋରଚନା ନିନ୍ଦାର ତିଳକ

କୁଳରୁ କାଳିନ୍ଦୀ ଯାଏ ବାଟ ଚାଲେ ବିଡ଼ମ୍ବିତା ନାରୀ

ଶତଛିଦ୍ର କଳସୀ ଆବୋରି

ସମସ୍ତ ତିକ୍ତତା କରି ଆତ୍ମସାତ୍‍ ରତ୍ନାକର ପରି ।

ତିତିକ୍ଷାର ଅନ୍ୟ ନାମ ଧରିତ୍ରୀ ଓ

ନାରୀ ହିଁ ଧରିତ୍ରୀ ।

ସହସ୍ର ନାଡ଼ିର ଡୋର ଛିନ୍ନ କରି ସୃଷ୍ଟିମୁଖୀ

ନିତ୍ୟ ନବ ସୃଜନର ସ୍ୱପ୍ନେ ମତ୍ତ ହୁଏ ।

ଏବଂ ମୁହିଁ ଭାଙ୍ଗିବାର ମନ୍ତ୍ର ନାହିଁ ଜାଣେ

ତେଣୁ ଆଜି ଆପଣାର ଯେତେ ସ୍ୱାର୍ଥଡୋରି

ଛିନ୍ନ କରି ମୋ ନିଜକୁ ତୁମଠାରୁ ନେଉଛି ଗୋଟାଇ ।

ମୋର ଆତ୍ମଦହନର ଏ ନିଭୃତ ବ୍ୟୂହ

ତୁମେ କି ପାରିବ ଭେଦି !

ତୁମର ସେ ଅନୁଭବ କାହିଁ–

ବିଡ଼ମ୍ବିତା ନାରୀପାଇଁ ନାରୀର ବେଦନା

ତେଣୁ ଆଜି ସ୍ୱେଚ୍ଛାକୃତ ଆତ୍ମ ନିର୍ବାସନ ମୋର

ତୁମଠାରୁ ।

ମୋତେ ତୁମେ କ୍ଷମା ନାହିଁ ଦେବ !

ମୋତେ ତୁମେ କ୍ଷମା ନାହିଁ ଦେବ !

 

ମୋହଲାଗି କ୍ଷମା ଆଜି ସୁଦୂର ଦୁର୍ଲଭ !

ତେଣୁ ତୁମଠାରେ ମୋର ମୃତ୍ୟୁ ମୁହିଁ ମାଗେ

(ଯଦିଓ ମୋହର ମୃତ୍ୟୁ ତୁମ ପାଇଁ ଯନ୍ତ୍ରଣାର ମାର୍ଗ

ମୁଁ ନିଷ୍ଠୁରା ତୁମକୁ ଯା’ କରୁଛି ଉତ୍‍ସର୍ଗ !)

ସଜ୍ଞାନରେ ସ୍ୱଇଚ୍ଛାରେ ନିରୁପାୟ ହୋଇ

ଏଇ ଆଜି ଶେଷ ପଥ

ପ୍ରିୟଜନେ ଶାନ୍ତିଦାନ ପାଇଁ ।।

☆☆☆

 

ଦିନସବୁ କେବେ ପୁଣି ଆଗପରି ହେବ

 

ଆଗେ ଦିନସବୁ କି ସୁନ୍ଦର ନ ଥିଲା !

ପରିବେଶ ଥିଲା କେଡ଼େ ପରିଚ୍ଛନ୍ନ !

ଶାରଳା ବା ଉପେନ୍ଦ୍ରୀୟ ପ୍ରତିଭାର

ଉଦ୍‍ଭିନ୍ନ ଅଙ୍କୁର

କି ସୁନ୍ଦର ହେଉଥିଲା ପଲ୍ଲବିତ

କବିର ବକ୍ତବ୍ୟ ଥିଲା ସାଦାସିଧା

ଠାଣି ଥିଲା କାରୁକାର୍ଯ୍ୟପୂର୍ଣ୍ଣ

କେଉଁ ବିଖ୍ୟାତ ବଂଶର ଗୃହଭେଦ କଥା

ରାଜନୀତି ଷଡ଼ଯନ୍ତ୍ର ମାତୁଳର ମନ୍ତ୍ରଣା

ଯୁଦ୍ଧ ଏବଂ ଯୁଦ୍ଧକୁ ଉହ୍ଲାଇ ଆସୁଥିଲେ

ସ୍ୱୟଂ ଚକ୍ରଧର ।

ତାପରେ ଧର୍ମର ବିଜୟ ପରାଜୟ ପାପର ।

ଅଥବା ଚେତିଚତୁରୀ ନିଶିଶେଷେ

କାହିଁବା ବିଳପୁ ଥିଲା

ନ ପାଇଲେ ଖୋଜି ତାର ଛଇଳ ନାଗର ।

 

ଚାହୁଁ ଚାହୁଁ ଦିନମାନେ ବଦଳିଲେ କି କ୍ଷିପ୍ରଗତିରେ

ଜୀବନର ଛନ୍ଦ ହେଲା ଦ୍ରୁତ ଓ ବେସୁରା

ପ୍ରୀତି ନାହିଁ ଦୟା ନାହିଁ

ନାହିଁ ଧର୍ମର ବିଜୟ ଅଧର୍ମ ଉପରେ

ମିତ୍ର ଭେଦ ଗୃହ ଭେଦ ରୋଗ ଅପମୃତ୍ୟୁ

ଗର୍ଭପାତ ଜନ୍ମନିୟନ୍ତ୍ରଣ

ଭିକ୍ଷାଥାଳ ହାଡ଼ମାଳର ଶୋଭାଯାତ୍ରା

ଏଇପରି ଏଇପରି

ବହୁବିଧ ହାହାକାରର ପ୍ରବନ୍ଧ ।

 

ଏ ଭିତରେ କାହିଁ ସୁଖର ଅମରାବତୀ ?

ମଳୟେ ସଙ୍ଗତେ ଧରି ବହେ କାହିଁ ଦକ୍ଷିଣା ପବନ

କାହିଁ ହୁଏ ହୃଦ ଘେନାଘେନି ପ୍ରୀତିର ପାର୍ବଣ ?

 

ଦିନସବୁ କେବେ ପୁଣି ଆଗପରି ହେବ !

ପାପ ନାଶ ଯାଇ ପୁଣ୍ୟର ଅମରାବତୀ ସୃଷ୍ଟି ହେବ

କବିତାରେ ଏବଂ

ଦୁର୍ଲଭ ମଣିଷ ଜନ୍ମ ପାଇଁ

ଦେବତା ପଶିବ ଜରାୟୁର ଅନ୍ଧକାରେ ।।

☆☆☆

 

ଚମ୍ପା

 

ସ୍ୱପ୍ନ ଦେଖିବାର ସାମର୍ଥ୍ୟ ନାହିଁ ବୋଲି

ମୋତେ ସାରା ଜୀବନ ବିନିଦ୍ର କରି ରଖିଲ ।

ଯଦି ବଞ୍ଚି ରହିଥାନ୍ତି

ମୋର କୁଟିଳତାରେ ପୃଥ୍ୱୀ ଟଳମଳ ହୋଇଥାନ୍ତା

ହୁଏତ ବା ପୁଣି ଅବତାର ଧରିବାକୁ ପଡ଼ିଥାନ୍ତା ବିଷ୍ଣୁଙ୍କୁ ।

ତେଣୁ ପିତା ! ମୋତେ ତୁମେ ବୀଭତ୍ସଭାବେ ହତ୍ୟା କଲ !

 

ସ୍ରଷ୍ଟାର ଉଦ୍ଦେଶ୍ୟକୁ ପାଳନ କରିବା ଯଦି

ସୃଷ୍ଟିର କର୍ତ୍ତବ୍ୟ ହୁଏ,

ଅଦୃଶ୍ୟ ନିର୍ଦ୍ଦେଶକର ଆଦେଶ ପାଳି

ଅଭିନୟ କରିବା ପାଇଁ ଯଦି ଆମର ଜନ୍ମ,

ତେବେ ମୋ ଭୂମିକାର କାର୍ଯ୍ୟଟି

ମୁଁ ସୁଚାରୁରୂପେ ତୁଲାଇଛି ।

ତଥାପି ଅବଶୋଷ ରହିଗଲା !

ଥରେ ଯଦି ସାନ୍ତାଣୀ ବା ସାରିଆର

ଭୂମିକାଟି ମୋତେ ଦେଇଥାନ୍ତେ ନିଷ୍ଠୁର ପିତା ମୋର !!

☆☆☆

 

ସ୍ମୃତି

 

ଦୂରଦେଶେ ମନେପଡ଼େ

ବଉଳର ସୁରଭିରେ ସୁରଭିତ

ଦୁଷ୍ଟ ଅମାନିଆଁ ଗାଁର ଅଭୁଲା ସ୍ମୃତି ।

 

ଫୁର୍ତ୍ତିବାଜ ଅବାଧ୍ୟ ବସନ୍ତ ଫଗୁହାତେ ଏବେ

ଆଙ୍କୁଥିବ ଶିମୁଳି ପଳାଶ ବାରି ବଗିଚାରେ

ଧୂଳି ଧୂସରିତ ଗାଁ ଦାଣ୍ଡେ ସନ୍ତର୍ପଣେ ଘୂରୁଥିବ

ଯେଉଁପରି ସ୍ତବ୍‍ଧ ଦ୍ୱିପ୍ରହରେ

ମା’ର ସତର୍କତାକୁ ଫାଙ୍କି ଦେଇ

‘ବୁଲୁ’ ଯାଏ ଆମ୍ବ ଅବା ପିଜୁଳି ବଣକୁ

ହୋଇ ଅମାନିଆଁ ।

 

କାହା ଦେହ ଧୁନିଶାଳେ ତେଜୁଥିବ ବିରହର ନିଆଁ

ସାଧୁଥିବ ବିଳମ୍ବିତ ମିଳନ ସଙ୍ଗୀତ ।

କୋଇଲି ଦକ୍ଷିଣା ମେଳେ

ମୁକୁଳିତ ଚୂତ ସୁବାସରେ ମତ୍ତ ବାତୁଳ ବସନ୍ତ

ଝୁଲୁଥିବ ବାୟାହାତୀ ପରି ।

 

ବାରିପଟ ନିମ୍ୱଗଛେ ଉଚ୍ଚତାନେ ମହୁମାଛି

ବୋଲୁଥିବ ଗୀତ ।

ବାଉଁଶ ବଣରେ ଗୁଣୁଗୁଣୁ କରୁଥିବ

ଆସକ୍ତ ଦକ୍ଷିଣା ।

ହଟହଟା ହେଉଥିବ ପଡ଼ିଶା ଘରର

ପ୍ରୋଷିତ ଭର୍ତ୍ତୃକାଟି ।

 

ନିରାସକ୍ତ ସହରର ଗୈରିକ ବନ୍ଧନେ

ବାଟବଣା ଭୁଲାମନ କ୍ରମେ ହୁଏ ସଚେତନ

ଦୁଗୁଣେଇ ହୁଏ ମନେ ଘର ବାହୁଡ଼ାର ଗୀତ

ସହରର ସ୍ଥିତି ପଛେ ରଖି, ସ୍ମୃତି ଉଠେ ଜଳି

ଉତ୍ସବ ପ୍ରାଙ୍ଗଣେ ଯଥା ସହସ୍ର ଦୀପାଳି

ଅନ୍ଧକାରେ ଠେଲିନିଏ ଦୂର ଦୂରାନ୍ତରେ

ଗାଁ ସ୍ମୃତି ଜଳିଉଠେ

ଜଳିଉଠେ ଦୂର ଦେଶେ ବାହାରେ ଭିତରେ ।।

☆☆☆

 

ଦୂରାଭାସ

 

ଦିଗନ୍ତ ସଜାଇ ଦିଏ କନକ କିରଣ ।

ବିଡ଼ମ୍ବିତା ଶ୍ୟାମଳୀ ପୃଥିବୀ ତୁମ ଅପେକ୍ଷାରେ ।

ବନ୍ଧୁବର, ଆସିବନି ?

ତୁମର କପାଳେ ଜଳେ ଚନ୍ଦ୍ର

ସୂର୍ଯ୍ୟ ଚନ୍ଦନ ଓ ସିନ୍ଦୂର ରାଗରେ ।

 

ପ୍ରକୃତିର ଘରେ ଶରତର ଡାକେ କାଶଫୁଲ ଉଠେ ହସି

ଶିଶିର ଜମାଏ ଖୁସିର ଆସର କ୍ଷେତରେ ପଠାରେ ବସି

ଘରେ ଘରେ ଏଣେ ଜୀବନ ଡାଳରୁ

ଅବିରଳ ଝରେ ଫୁଲ

ଅବିରଳ ଏଠି ଭୁଲ୍‍ ହୋଇଯାଏ

କିଏ ଭେଲ କିଏ ଭଲ ।

ବସନ୍ତ ଏଠି ଜାଣତ ଅଳ୍ପାୟୁଷ

ଶରତର ଏଇ ଖୁସିର ତୋରଣ ତଳେ

ତୁମରି ଅପେକ୍ଷା ରଖି ଆକାଶରେ ସଫେଦ୍‍ ବଉଦ

ବନ୍ଦୀପରି ଗୀତ ଗାଏ ଭ୍ରମର ଓ

ଭାଟ ପରି ଡାହୁକ ଯେ କୂଜନରେ ରତ ।

ଦୂରୁ କି ଆସୁଛ ତୁମେ ଧଳାଘୋଡ଼ା କଟିରେ କିଂଖାବ

ହାତକେ ଢାଲ ଓ ହାତେ କୋଷମୁକ୍ତ ତୀକ୍ଷ୍‍ଣ ତରବାରି

ମୁଣ୍ଡେ ଶିରସ୍ତ୍ରାଣ ଗଳେ ଦୋଳେ ମୁକ୍ତାମାଳା

କପାଳରେ ସୂର୍ଯ୍ୟ ଚନ୍ଦ୍ର

ଦିଗ୍‍ବିଜୟ ସିନ୍ଦୂର ଓ ଚନ୍ଦନର ଲୀଳା ।

 

ମିଥ୍ୟାଚାର ଲାଭ ଓ ଲୋଭର

ପ୍ରଳୟ ପୟୋଧି ଜଳେ ମଗ୍ନହୁଏ ମଣିଷ ସଭ୍ୟତା

କାଣ୍ଡାରୀ ଅଭାବେ

ମଗ୍ନପ୍ରାୟେ ନାବ ନାହିଁ ହୁଏ ବାହି

ଓ ତୁମ ଅପେକ୍ଷା ରଖି ଅଶିଣ ଆକାଶେ

ଗୁରୁଗୁରୁ ନାଦେ ମେଘ କହିଯାଏ

 

ଦୂରାଗତ ଏକ ଅଶ୍ୱାରୋହୀ ।।

ସଭ୍ୟତାର ଏ ଚୋରାବାଲି ତଳେ

ବର୍ବରତାର ନିୟମିତ ଅଭିଯାନ

ଦୂରୁ ଆସୁଛ କି ଦୁରନ୍ତ ଅଶ୍ୱାରୋହୀ

କରିବାକୁ ଅବସାନ

ତୁମେ କି ଆସିବ ନାହିଁ ?

ମୁଁ କେବଳ ବୃଥା ବସି ଚିତ୍ରୁଛି ତୁମକୁ ?

ଏଇତ ମାହେନ୍ଦ୍ର ବେଳା । ବାକି ପଥ ତୁମ କେତେ ଦୂର ?

କେବେବା କରିବ ଏଠା ଆମନ୍ତ୍ରଣ, ପ୍ରିୟତମ !

ତୁମେ ଅଙ୍ଗୀକାର ?

☆☆☆

 

ନେତ୍ରମଣି

 

ନାମରେ ମୁଁ ନେତ୍ରମଣି

ଛକଡ଼ିର ଦୀପ୍ତ ନେତ୍ରମଣି

ମୋ ପାଇଁ ଝରଇ ନାହିଁ କାହା ନେତ୍ରମଣି ଛୁଇଁ

ଶ୍ରାବଣ ବା ଭୋଦର ଅସରା

ମୋ ଲାଗି ବାଜୁଅଛି

ଅସହଣୀ ଦୁନିଆର ନିଆଁଲଗା କଥାର ନାଗରା ।

ବାପଘର ପରକଲି ବାନ୍ଧିବାକୁ

ମୋ ନିଜସ୍ୱ ସୁଖଦୁଃଖ ଛୋଟିଆ ନଅର ।

ହାତଧରି ଯାହାକୁ ମୁଁ ବିଭା ହେଲି

ବିଦାବିଦି ବେଳେ

ସଭିଏଁ ବତେଇ ଦେଲେ

ସେଇ ମୋର ସମସ୍ତ କାଳର ।

 

ମୁଁ ତ ପରଝିଅ ।

ମୋ ହାତ ଧରିଲା ଯିଏ

ସିଏ ତାର ଭାଇ ସୁଆଗିଆ

ସୁଖ ମୁଁ ଖୋଜିଲି ବୋଲି

ସଭିଙ୍କର ଟୁପ୍‍ଟାପ୍‍–

ଘରଭାଙ୍ଗି ନେତ୍ରମଣି ନିଜ ଅଣ୍ଟିନିଆଁ ।

 

ମୁଁ ତ ହେଲି ପରଝିଅ

ମୋର ବା କି ଦୋଷ !

ମନର ମଣିଷକୁ ମୁଁ

ମୋ ନିଜର କରି ଯଦି ଚାହିଁଥାଏ

ଅତି ସରାଗରେ

ସେ ପାଇଁ ଯଦି ବି ବାଡ଼ ବସିଥାଏ

ଦୁଇ ଭାଇ ହୃଦୟ ମଝିରେ

ମୋର ବା କି ଦୋଷ ହେଲା

ମୁଁ ତ ନୁହେଁ ଦେଢ଼ଶୁର

ଜାଆ ଭଳି ବୁଝାର ସୁଝାର !

 

ତୁମେ ସବୁ ଯିଏ ଯେତେ

ଅପବାଦ ଦିଅ ପଛେ,

ପିଲାଦିନ ମିଛ ମିଛ ବହୂଖେଳ ମୋହ

ତେଜି ନ ପାରି ଯଦି ମୁଁ

ମୋ ଗିରସ୍ତ ସାଥେ

ସତଘର ବାନ୍ଧିବାର ପ୍ରୟାସ ବି କଲି !

ତୁମେ କିଆଁ ଦାଣ୍ଡଲୋକ

ରବେଇଖବେଇ ହେବ !

ମୋ ହସିଲା ସଂସାରକୁ ଆଖି ଦେଇ

ମୋ ନାଆଁରେ ଦୁର୍ନାମର ନାଗରା ପିଟିବ !!

☆☆☆

 

ସ୍ମରଣ ବିସ୍ମରଣ

 

ଶୀତର ସଂକ୍ଷିପ୍ତ ବ୍ୟାପ୍ତି ସାଥେ ନେଇ ଆତ୍ମପ୍ରବଞ୍ଚନା

ଧ୍ୱଂସ ହେଉ । ଜନ୍ମ ନେଉ ନବଦିନ ନୂତନ ଚେତନା

ଶାନ୍ତି ପାଉ କ୍ଳିଷ୍ଟ ଆତ୍ମା । ମୋକ୍ଷ ଲଭୁ ଅମୋଘ ବାସନା ।

ମୁଁ କି ଯିବି ସ୍ୱର୍ଗଆଡ଼େ ମୁହଁମାରି । ଅବା

ନରକର ସିଡ଼ିରେ ଉହ୍ଲାଇ

ଯେଉଁଠାରୁ ମୋର ପ୍ରିୟଜନ

ମୋତେ ନ ପାଇବେ ଫେରି, ଶ୍ରାଦ୍ଧ ଶାନ୍ତି

ଉପବାସ ଏକାଦଶୀ ପାରଣାର ସୂତ୍ର ଧରି ଧରି ।।

 

ଏ ମୋର ଗବାକ୍ଷ ପାଶେ ଏ କାହାର ସ୍ୱର ?

ନାଁ ଧରି ଡାକେ କିଏ ମୋର ? ଫେରିଆ ରେ

ଦିଗନ୍ତରେ ରବି ଅସ୍ତ ହେବାର ଗହଳ

ଅଦୂରେ ନଦୀର ଶଯ୍ୟା–ଶବାଧାର

ମୃତବହୁ କାମନା ଓ ପ୍ରାପ୍ତିମାନଙ୍କର । କିଏ ଡାକେ ?

କିଏ ଡାକେ ପରତନ୍ତ୍ର ଆତ୍ମାକୁ ମୋହର ?

ଅଦୂରରେ ମିଛ ନୁହେଁ

ରବି ଅସ୍ତ ଯିବାର ଚହଳ ।

କହୁଁ କହୁଁ ଚୂତ ବୃକ୍ଷେ ଧରିଗଲା କସି

କୋକିଳ କ୍ରୀଡ଼ଇ ଚୂତ ଡାଳେ ଡାଳେ ବସି ।

ସେ କିଏ ଡାକିଲା ମୋତେ ? ରୁଦ୍ଧ ଦ୍ୱାର ରୁଦ୍ଧ ବାତାୟନ ।

ସେ କିଏ ଡାକିଲା ମୋତେ ସୟତାନ ଅବା ଭଗବାନ ??

ସେ କିଏ ଫୁଟାଇ ଦେଲା ଚୂତଡାଳେ ଅଦିନେ ଫଗୁଣ

ନୀଡ଼ ରଚିବାର ଇଚ୍ଛା ନେଇ ମୋତେ କରିଲା ସ୍ମରଣ !

 

ମୁଁ ତ ମୋର ଶୋଇଥିଲି ପାପାତ୍ମାର କମଳାଗଛରେ

ଆପଣାଗନ୍ଧରେ ଆପେ ଖୋଜୁଥିଲି ଆପଣାକୁ ଭୁଲି

ହଠାତ୍‍ ଡାକିଲା କିଏ ନରକର ଦ୍ୱାର ମୁକ୍ତ କରି

ଯଦିବା ସୂର୍ଯ୍ୟାସ୍ତ ପରେ ହସିଥିଲା ତାରାର ଚେତନା

କେ ଆସି ଡାକିଲା ଧୀରେ ‘ଦ୍ୱାର ଖୋଲ’–

ସୈରିଣୀ ସନ୍ଧ୍ୟାର ମନେ ସନାତନ ଦେହର ତାଡ଼ନା ।

ସମୟ କଞ୍ଚା ଡାଆଣୀ

ମୋଡ଼ିଖାଏ ସ୍ୱାଧୀନତା, ବିବେକର ବେକ ।

ଅଥଚ ପୃଥିବୀ

ଦେଇଛି ତାହାକୁ ଜନ୍ମ ଯେଉଁପରି କାକର ନୀଡ଼ରେ

ବଢ଼ି କୋକିଳ ଶାବକ ନିଜପଥେ ଯାଏ,

ସେଇଭଳି ସିଏ

ପୃଥିବୀରେ ଚକ୍ଷୁ ମେଲି ପୃଥିବୀକୁ ଧୀରେ ଭୁଲିଯାଏ ।

 

ସେଦିନ ଅବାକ୍‍ ସ୍ଥାଣୁ ସମୟର କାଠିକୁଟା ନେଇ

ସେ ହଠାତ୍‍ ପ୍ରସ୍ତାବ ଦେଲା–ବସନ୍ତର ଦୁରନ୍ତ ସାନାଇ

ବାଜିଲାଣି ବନେ ବନେ । ଫୁଲେ ଫୁଲେ

ଭ୍ରମର ଓ ଫୁଲଙ୍କର ଯୋଗନଦ୍ଧ ରୂପ ।

ଗୋପନରେ କାନ୍ଦି ମରେ ପ୍ରଜ୍ଞାପାରମିତା

ଆଦର୍ଶର ତାଡ଼ନାରେ ମନ ଏକ ଧ୍ୱଂସ ମୃତ ସ୍ତୂପ

‘କୋକିଳ କ୍ରୀଡ଼ଇ ଚୂତ ଡାଳେ ଡାଳେ ବସି’

ଦୁରନ୍ତ ସମୟ ତଳୁ ପାରିବ କି ନିଜକୁ ପ୍ରକାଶି ??

ଆକାଶେ ହଜାଇ ଦେଇ ଭୀରୁ ଦୃଷ୍ଟି

ମୃତ ଏକ ପତଙ୍ଗର ଅଥର୍ବତା ନେଇ

କହିଲି ତାହାକୁ ଡାକି–

କିଏ ସେ ହୋ ? ଅଲକ୍ଷରେ ଡାକ ରହି ରହି ??

‘‘ଚାହୁଁ ଚାହୁଁ ଚୂତବୃକ୍ଷେ ଧରିଗଲା କସି ’ ।

ଆତ୍ମଗୋପନର ଦେଶୁଁ ମୁକ୍ତ ହୁଅ ! ଅଶରୀରୀ

ନିଜକୁ ପ୍ରକାଶ କର ଠଳରୁ ବିକଶି ।

 

ବସନ୍ତ ଯାଇଛି ଫେରି ଜରାଜୀର୍ଣ୍ଣ ବସ୍ତାନି ଗୋଟାଇ

ଫେରିବ ଫେରିବ ବୋଲି ଶୁଭଦିନ ଆଉ ଆସି ନାହିଁ ।

ପାପର ଅନ୍ଧାରେ ବୁଡ଼ି ଅହଂମାନେ ଡାଆଣୀ ଆଲୁଅ

ଜାଳନ୍ତି । କିଏ ସେ ଡାକେ ଏବେ ମଧ୍ୟ ।

ସପନର ଦେଶୀମଦ ପିଇ

ଆଶ୍ଚର୍ଯ୍ୟ କୁହୁକ ନଗ୍ରେ ଘୂରିବୁଲେଁ

ଏଲିସର ସ୍ତବ୍‍ଧତା ଗୋଟାଇ ।

ଅଥଚ କିଞ୍ଚିତ୍‍ ଦୂରେ ଅଭିମାନେ ଫାଟି ପଡ଼ୁଥିବା

ଉତ୍ତୀର୍ଣ୍ଣ ବିଂଶତିବର୍ଷ କାମନାଙ୍କ ଜଣାଶୁଣା ଭିଡ଼

ସମୁଦ୍ର ଫେରନ୍ତା ପକ୍ଷୀ–ମୋ ଡେଣାରେ

ଲୁଣି ହାୱା, ଉଜାଗର ରାତ୍ରି ଶେଷ କ୍ଳାନ୍ତିର ପହଡ଼ ।

ତଥାପି କିଏ ସେ ଡାକେ ସବୁ କ୍ଳାନ୍ତି ଉଜାଗର ସତ୍ତ୍ୱେ

ନିଷ୍ଠୁର ସମୟତଳୁ କରିବାକୁ ନିଜକୁ ପ୍ରକାଶ

ମଞ୍ଜିର ଦୁର୍ବଳ ଖୋଳ ଠେଲି ଯଥା ଭ୍ରୂଣର ବିକାଶ ।

ସେ ଡାକରେ ନିଦ୍ରା ତୁଟେ କ୍ଳାନ୍ତି ତୁଟେ

ସତ୍ତ୍ୱମୟ ଚେତନାର ଡାଳେ ।

ଫୁଲ ହୋଇ ଫୁଟିଯାଏ ଅନୁରାଗ

ପ୍ରେମ ତାର ଅକୈତବ ଫଳ ହୋଇ ଝୁଲେ ।

ଅଥଚ ସ୍ମରଣ କରିପାରେ ନାହିଁ

କିଏ ଡାକେ । କାହା ଡାକ ସମୟରେ ଟେଲିଗ୍ରାଫ୍‍ ଛୁଇଁ

ମୃତ ଆକାଶର ଦେହେ ମନ୍ତ୍ର ପଢ଼େ

ଚୂତଡାଳେ ବସନ୍ତ ଫୁଟାଇ ।।

☆☆☆

 

ଜଣେ ସମାଜସେବୀଙ୍କ ମୃତ୍ୟୁରେ

 

ସେ ଅଚାନକ ଚାଲିଗଲେ ।

ସେ ବଞ୍ଚିଥିଲାବେଳେ ଯେଉଁମାନେ ଈର୍ଷାରେ

ଜଳି ଯାଉଥିଲେ ମନେ ମନେ ଅଭିଶାପ ଦେଉଥିଲେ,

ତାଙ୍କ ମୃତ୍ୟୁରେ ଯେଉଁମାନେ ନିଭୃତରେ ଉଲ୍ଲସିତ ହେଲେ,

ସେଇମାନେ ମୁହଁରେ ଗଭୀର ଶୋକର ଚିତ୍ର ଆଙ୍କି

ଦୃଷ୍ଟିକୁ ସଜଳ କରି

ଶୋକସଭାର ଆୟୋଜନ କଲେ

ଆପେ ବକ୍ତା ହୋଇ ଖବରକାଗଜ ଓ ଆକାଶବାଣୀର

ପ୍ରତିନିଧିକଙ୍କୁ ପ୍ରଥମଧାଡ଼ିରେ ଆସନ ଦେଲେ ।

ତାଙ୍କର ସନ୍ତପ୍ତ ପରିବାରର ସାହାଯ୍ୟାର୍ଥେ

ପାଣ୍ଠି ସଂଗ୍ରହ କରି ଆତ୍ମ କଲ୍ୟାଣାର୍ଥେ ନିୟୋଗ କଲେ ।।

 

ଶୋକସଭାର ଭାଷଣ ରେଡ଼ିଓ ପ୍ରଚାର କଲା ।

ସମ୍ବାଦପତ୍ର ବୋହି ନେଲା ଗୃହୁ ଗୃହାନ୍ତରେ ।

ମୃତ୍ୟୁପରର ଆଲୋକିତ ରାସ୍ତାରେ ଠିଆ ହୋଇ

ଜୀବୀମାନଙ୍କ କାଣ୍ଡ ଦେଖି ସେ ତଟସ୍ଥ ହୋଇଗଲେ ।।

☆☆☆

 

ଗୋପନ ସତ୍ୟ

 

ପ୍ରତିଜ୍ଞା ରକ୍ଷା କରି

ଯିଏ ମତ୍ସ୍ୟଯନ୍ତ୍ର ଭେଦ କରନ୍ତା

ସେ ହୁଅନ୍ତା ଯଦି ନାରୀର ମନର ଅଧିକାରୀ

ତେବେ ଲକ୍ଷେ କ୍ଷତ୍ରିଙ୍କୁ ଛାଡ଼ି

ଭିକ୍ଷୁକକୁ ପ୍ରଥମ ଦର୍ଶନରୁ

ମନେ ମନେ ବରଣ କରି ନଥାନ୍ତା କୃଷ୍ଣା !

ନାରୀର ମନ ଅଦୃଷ୍ଟ ଭବିଷ୍ୟ

ଘୂର୍ଣ୍ଣାୟମାନ ମତ୍ସ୍ୟଯନ୍ତ୍ର

ତାକୁ ଭେଦ କରିପାରେ

କେବଳ ମନଭେଦୀ ବାଣର ଅଧିକାରୀ ।

ପାରିବ ସେ ବାଣର ଅଧିକାରୀ ହୋଇ

ଫାଲ୍‍ଗୁନୀର ଏକନିଷ୍ଠ ନିଷ୍ଠାବଳରେ

କେଶବ ବାସବର ଅନୁଗ୍ରହ ଲାଭ କରି ।।

☆☆☆

 

ତୋ ପ୍ରାପ୍ତିରେ ତୁଚ୍ଛ ହୁଏ ଇନ୍ଦ୍ରପଦ

 

ଯେତେ ଦେଖେ ମୁଗ୍‍ଧ ହୁଏଁ ତୁହି ଅବା ଝଙ୍କଡ଼ବାସିନୀ

କବିକଣ୍ଠେ ବାଣୀ ତୁହି ମୂକେ କରୁ କଳନିନାଦିନୀ

ପଙ୍ଗୁକୁ ସାହସ ଦେଉ ଲଙ୍ଘିବାକୁ ଗହନ କାନ୍ତାର

ହତାଶେ ଭରସା ଦେଉ ଲଙ୍ଘିବାକୁ ଦୁଃଖ ପାରାବାର

କେଦାରେ କେଦାରେ ତୋର ସ୍ୱର୍ଣ୍ଣବୀଜ ଦରିଦ୍ରର ବିନିଦ୍ର ସପନ

ଜରାକୁ ମରଣ ଦେଉ ଗଢ଼ିବାକୁ ନୂତନ ଜୀବନ ।

ଶିଶୁର ଦରୋଟି ପରି ଉଷା ତୋର ଅସ୍ଫୁଟ ଆଳାପ

ରାତି ତୋର ରସଘନ ଶ୍ୟାମରାଈ ମିଳନ ସଂଳାପ ।

ପଳାତକ ଗୃହଛଡ଼ା ତୋ’ରି ସନ୍ତାନେ

ଛୁଟି ଦେଖି ଟାଣି ଆଣୁ ତୋ’ରି କୋଳକୁ

ଶ୍ୟାମଳିନୀ ଅନୁପମା ତୋ ରୂପ ମହିମା

ବର୍ଣ୍ଣନାରେ ହାରିଯିବ ସାରଳା ବା ଉପେନ୍ଦ୍ରୀୟ

ଲେଖନୀ ଗାରିମା ।

ଗାଁ ନୁହୁଁ ମା’ ତୁହି ରୂପମୟୀ ତୁ ଅମରାବତୀ

ତୋ ପ୍ରାପ୍ତିରେ ତୁଚ୍ଛ ହୁଏ ଇନ୍ଦ୍ରପଦ ଦେବତା ସମ୍ପତ୍ତି ।।

☆☆☆

 

ଉପରାମ

 

ଯୁଗାନ୍ତରରୁ ଜଳିଜଳି

ନିହାତି କ୍ଳାନ୍ତି ଯଦି ବୋଧ କରୁଥାଅ

ଉଦାସ ନକ୍ଷତ୍ର ପୁରୁଷ,

ଗୋଟେ କାମ କର–

ଅନୁପଦ ଆଗେଇ ଆସ

ସଞ୍ଚାରିଣୀ ପଲ୍ଲବିନୀ ଅନୁପମା

ଏଇ ଲତାନ୍ତରାଳକୁ !

ଅନୁପଦୀ !

ତୁମର ବିଶ୍ରାନ୍ତ, ଉଜାଗର, ବିକ୍ଷୁବ୍‍ଧ ଆତ୍ମାକୁ

ଉପନିଷଦ୍‍ର ଅମୃତ-ସ୍ଥିରତା

ଆଣି ଦେବାର ଆୟୋଜନ

ଏଠାରେ ଚାଲିଛି ।।

☆☆☆

 

ଅନନ୍ୱୟ

 

ଏଇ ବନ ପାହାଡ଼ ଝରଣା

ଶ୍ୟାମ ଉପତ୍ୟକା ଶ୍ରୀ ଦିବାରାତ୍ର କରେ ମୁଁ ମଣ୍ଡନ

ନିଜଠାରେ ମଗ୍ନ ହୋଇ ଆପଣାର ରସଗନ୍ଧ

ଦିଏ ଉପହାର ଆପଣାକୁ

ଅଣାକାର ପରଂବ୍ରହ୍ମ ପରି ।

ଆପଣାର ଗନ୍ଧେ ହୁଏ ସତତ ବ୍ୟାକୁଳ

ଯେଣୁ ମୋ ଏକଇ ଦେହେ ହରିଣ ହରିଣୀ

ଚିର ଅନ୍ତର୍ଲୀନ ।

 

ମୁଁ ତ ଜାଣେ ତତ୍ତ୍ୱ ଯେତେ

ଦେହ ସୁଖ ଜଳେ ଚନ୍ଦ୍ରଛାଇ

(ଯେଣୁ ସବୁ ତତ୍ତ୍ୱ ଦେଖ ମୋହଠାରୁ ଉଦୟ ହୁଅଇ ।)

କିନ୍ତୁ ମୁଁ ତ ଦେହହୀନ ନୁହେଁ

ତଥାପି ଦେହକୁ ମୋର ବଶ କରି

ଅଦେହରେ ନିତ୍ୟ ରମୁଥାଏଁ ।

 

ଉଦ୍ୟାନର ସଯତ୍ନ ଶାସିତ ବଲ୍ଲୀ ନୁହେଁ ମୁହିଁ

ଫୁଲ ଫୁଟା ନୁହେଁ ମୋର

କେଉଁ ମାଳୀ ଇଚ୍ଛାର ଅଧୀନ

ସ୍ୱାୟତ୍ତ ମୁଁ ଅରଣ୍ୟର ଲତା

ମୁକ୍ତି ମୁହିଁ ବିଚ୍ଛୁରିତ ସହସ୍ର ଜୀବନ ।।

☆☆☆

 

ଉର୍ଣ୍ଣାୟୁ ଉଦନ୍ତ

 

ମୁଁ ଏକ ମୁକ୍ତିର ଗୀତ ଶୃଙ୍ଗୁ ଶୃଙ୍ଗେ

ଜନପଦ ଆକାଶେ ବତାସେ ।

ମୁଁ ନିଜେ ମୋ ଧନୁହାତେ କରିଥାଏଁ ହରିଣ ଶିକାର

ମୁଁ ନିଜେ ନୂପୁର ଛନ୍ଦେ ସୁଖ ସ୍ୱପ୍ନ ଗିରି ଝରଣାର

ମୁଁଇ ତ ଗୋପନ ମାର୍ଗ ଯେଉଁ ମାର୍ଗେ ମୁକ୍ତିର ପ୍ଳାବନ

ମୁଁ ନିଜେ ନିର୍ଭୀକ ଯାତ୍ରା ଯେଉଁ ଯାତ୍ରା କାବ୍ୟର ସନ୍ଧାନ

ଜଡ଼ଶିବ ଛାତିପରେ ନୃତ୍ୟରତା ମୁଁ କାଳୀ କରାଳୀ

ସହଜ-ସାଧକଠାରେ ମୁଇଁ ଡୋମ୍ବୀ ମୁଁ ଶବରୀବାଳୀ

ମୁଁ ଏକ ନିଭୃତ ବାର୍ତ୍ତା ଅଚାନକ ସ୍ଥିର ତରଙ୍ଗରେ

ଘୋଷିତ ହୋଇଛି । ପୁଣି ସନ୍ତର୍ପଣେ ଦୀର୍ଘକାଳ ପରେ

କିଏ ବନ୍ଦୀ କରେ ମୋତେ, ନତଜାନୁ ବିଷଣ୍ଣ ପୁରୁଷ

ଉତ୍ତୀର୍ଣ୍ଣ ସମର ପରେ ମୁକ୍ତି ନୁହଁ ମୋ ପାଇଁ ବିରସ

ସେ କେଉଁ ସାଧକ ଦର୍ପେ ଅବିନ୍ୟସ୍ତ ସମୟରେ ଟପି

ମୋତେ ମାଗେ ଉପହାର ମୋ ନିଜକୁ କେବେ ବା ବିଳପି ।

 

କିନ୍ତୁ ସେ ତ ଜାଣେ ନାହିଁ ମୁହିଁ ନୁହେଁ ମୋର ଅଧୀନ

ମୁଁ ନୁହେଁ ସଦୟମନା ସକୁଣ୍ଠିତ କୌଣସି ବନ୍ଧନ

ମୁଁ ଏକ ବିଭକ୍ତ ସତ୍ତା ବିକେନ୍ଦ୍ରିକ ସଦା ଧାବମାନ

ମୋଠାରୁ ମୋଅରି ଆଡ଼େ । ଦ୍ୱିଧାଗ୍ରସ୍ତ ସଦା ବର୍ତ୍ତମାନ

ମୁଁ ନିଜକୁ ବୁଝେ ପୁଣି ବୁଝେ ନାହିଁ କିବା ମୁହିଁ ଚାହେଁ

ମୋରି ବିଜୟଟୀକା କାହିଁପାଇଁ ମୁଇଁ ପୋଛିନିଏ

ଯେ ମୁଇଁ ବିଶ୍ୱର ମୁକ୍ତି ସେଇ ମୁଇଁ ମୋର ଶୃଙ୍ଖଳିତ

ମୁଁ ଯାହାକୁ ଆମନ୍ତ୍ରଇ ତାହାଠାରୁ ମୁହିଁ ପଳାୟିତ ।

 

କେହି ତ ବୁଝେନା କେଣେ ବୀରଭୋଗ୍ୟା ମୁଁ ନୁହେଁ ମୋହର

ମୁଁ ଯାହାକୁ ଜନ୍ମ ଦିଏଁ ଲୀଳାକ୍ରମେ ପ୍ରାଣ ଘେନେ ତାର ।

ଅବୁଝା ସାଧକ ମୋର, କେବେ ହେବ ଉଦୟ ତୋ ଜ୍ଞାନ–

ଯେ ତୋହର ଜନ୍ମଦାତ୍ରୀ ସେଇ ତୋର ମୃତ୍ୟୁର କାରଣ ।।

☆☆☆

 

ବିଜନତାର ଗୀତ

 

ବଉଦର ଉଇହୁଙ୍କା ଡେଇଁ ଡେଇଁ

ଜହ୍ନ ଯାଏ ଖେଳି

ଆକାଶର ପଡ଼ିଆରେ ତାରା ଗୋଠ ଛାଡ଼ି ।

ଅନ୍ଧାରର ସଂକୀର୍ତ୍ତନ ମୋର ପୃଥିବୀରେ

ଧାତ୍ରୀସମ ବ୍ୟକ୍ତିଗତ ଶୋକ ମୋର

ପରିଚର୍ଯ୍ୟା କରେ ।

ଆଶ୍ଚର୍ଯ୍ୟ ତଥାପି

ହୃଦୟରେ କବିତା ସଞ୍ଚରେ

ଯେ କବିତା ତୁମକୁ ବଞ୍ଚାଇନେବ

ନିଶ୍ଚିତ ମୃତ୍ୟୁର ହାତୁ ।

 

ଜାଣେ ଏବେ ବ୍ୟସ୍ତ ଥିବ ପ୍ରେମେ ନୂତନାର

ତୁମ ପୃଥିବୀରେ ବିବାହପରର ବେଦୀ

ଭୂମିକାଟି ମୋର ।

ତଥାପି ତ ହୃଦୟରେ କବିତାର ଧ୍ୟାନ

କୋମଳ ଆଲୋକ ଜଳେ ନିଭୃତେ ଅନ୍ତରେ

ପ୍ରାପ୍ତି ଯଦି ଜାଳିଥିଲା ରକ୍ତେ ରକ୍ତେ

ହଜାର ଫାନୁସ୍‍

ବିରହ ଦେଇଛି କଣ୍ଠେ ଆଶ୍ଚର୍ଯ୍ୟ ଅମ୍ଳାନ

ମୃତ୍ୟୁଞ୍ଜୟୀ ଗାନ ।।

Image